ବର୍ଷା ଛାଡିଛି ହେଲେ ଥମୁନି ଦୁର୍ଦ୍ଦଶା

ଭୁବନେଶ୍ୱର: ଗତ ରବିବାରରୁ ହୋଇଥିବା ଲଗାଣ ବର୍ଷା ଛାଡିଛି । ଆକାଶ ପରିସ୍କାର । ଗୁରୁବାରଠାରୁ ସୂର୍ଯ୍ୟ ଆକାଶରେ ପ୍ରକାଶିଛନ୍ତି । ତେଣେ ଏହି ଲଘୁଚାପଜନିତ ଲଗାଣ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ତଳିଆଞ୍ଚଳରେ ପାଣି ମାଡିଯାଇଛି । ରାଜ୍ୟ ସରକାର ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର ପାଇଁ ଲାଗିପଡିଥିବା ଓ ସେଠାରେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା କୁହାଯାଉଛି । ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରୁଥିବା କୁହାଯାଉଛି । କିନ୍ତୁ କୁହାଯାଉଥିବା କଥା ଯେ ଆଈ ମା’ କାହାଣୀ ସଦୃଶ ତାହା ବୃଦ୍ଧ ଦିବ୍ୟାଙ୍ଗ ବାଳକୃଷ୍ଣଙ୍କୁ ଦେଖିବା ପରେ ଜଣାପଡୁଛି । ୬ ଦିନ ଧରି ଘରେ ପାଣି ଲହଡି ମାରୁଛି । ପାଣି ଘେରରେ ବିପଦଶଙ୍କୁଳ ସ୍ଥିତିରେ ବୃଦ୍ଧ ବାଳକୃଷ୍ଣ ଓ ତାଙ୍କ ପତ୍ନୀ ଦିନ କାଟୁଛନ୍ତି । କିନ୍ତୁ ଏହି ୬ ଦିନ ମଧ୍ୟରେ ନା ସରକାରୀ ବାବୁ ପହଞ୍ଚିଛନ୍ତି ତାଙ୍କ ନିକଟରେ ନାହିଁ ପହଞ୍ଚିଛି ସରକାରୀ ସହାୟତା ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଗ୍ରାମପଞ୍ଚାୟତର ମାଳଦା ଗ୍ରାମରେ ବାସ କରନ୍ତି ବୃଦ୍ଧ ଦମ୍ପତି ଦିବ୍ୟାଙ୍ଗ ବାଳକୃଷ୍ଣ ବେହେରା ଓ ସେବାଲତା ବେହେରା । ଅସ୍ତରଙ୍ଗ ବ୍ଲକ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ସେମାନଙ୍କ ଘର । କିନ୍ତୁ ଏଯାଏଁ ତାଙ୍କୁ ମିଳିନାହିଁ ଇନ୍ଦିରା ଆବାସ କି ବିଜୁ ପକ୍କା ଘର ବା ପ୍ରଧାନମନ୍ତ୍ରୀ ଆବାସ । ଭଙ୍ଗା, ଦଦରା ଘରେ କଟିଛି ସାରା ଜୀବନ । ଭାଗ୍ୟକୁ ଆଦରି ଜୀବନ କଟାଇଦେଇଥିବା ବେଳେ କିନ୍ତୁ ଚଳିତ ଲଗାଣ ବର୍ଷାରେ ବୃଦ୍ଧ ଦମ୍ପତିଙ୍କ ସ୍ୱାଭିମାନ, ଦମ୍ଭ ସବୁ ଭାଙ୍ଗି ଯାଇଛି । ରବିବାର ରାତିରୁ ଘରେ ପାଣି ପଶି ଯାଇଛି । ଘରର କିଛି କ।।ନ୍ଥ ମଧ୍ୟ ଭାଙ୍ଗି ପଡିଛି । ହେଲେ ପ୍ରଶାସନ ନିକଟରେ ଏହାର ଖବର ନାହିଁ । ଅନ୍ୟ ପଟେ ଅସହାୟ ବୃଦ୍ଧ ଦମ୍ପତି ଗଣମାଧ୍ୟମ ନିକଟରେ ଆକୁଳ ନିବେଦନ କରୁଛନ୍ତି ଆର୍ଥିକ ସହାୟତା ସହ ପକ୍କା ଘର ଯୋଗାଇ ଦେବାକୁ ।

ବ୍ଲକଠାରୁ ମାତ୍ର ୧ କିଲୋମିଟର ଦୂରରେ ରହୁଥିବା ଏହି ବୃଦ୍ଧ ପରିବାର ସମ୍ପର୍କରେ ପ୍ରଶାସନ ନିକଟରେ ତଥ୍ୟ ନ ଥିବା, ଏମାନଙ୍କୁ ସହାୟତା ଯୋଗାଯାଇନଥିବା ବେଳେ ଦୂରଦୂରାନ୍ତ ନିପଟ ମଫସଲ ଓ ଉପାନ୍ତ ଅଞ୍ଚଳକୁ କିପରି ସରକାରୀ ସହାୟତା ଯୋଗାଯାଉଥିବ ତାହା ସହଜରେ ଅନୁମେୟ । ତେବେ ପାଣି ଘେରରେ, ଭୋକ ଉପାସରେ ପଡିରହିଥିବା ଏହି ଗରିବ ଅସହାୟ ବୃଦ୍ଧ ଦମ୍ପତିଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କାଳ ବିଳମ୍ବ ନ କରି ଆର୍ଥିକ ସହାୟତା ସହ ପକ୍କା ଘର ଯୋଗାଇ ଦେବାକୁ ଆମେ ମଧ୍ୟ ନିବେଦନ କରୁଛି । ଏବେ ଦେଖିବାକୁ ରହିଲା କେବେ ସରକାର ଏମାନଙ୍କ ଦୁଃଖ ଶୁଣୁଛନ୍ତି ଓ କେବେ ବିଜ୍ଞାପନରୁ ବାହାରି ବାସ୍ତବ କ୍ଷେତ୍ରରେ ଲୋକଙ୍କୁ ସହଯୋଗ କରୁଛନ୍ତି ।