ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ରେଳ ମରାମତି କାର୍ଯ୍ୟ, ବୁଧବାର ସକାଳ ସୁଦ୍ଧା ସ୍ବାଭାବିକ ହୋବ ଟ୍ରେନ୍ ଚଳାଚଳ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ଯୁଦ୍ଧ କାଳୀନ ଭିତ୍ତିରେ ରେଳ ମରାମତି କାର୍ୟ୍ୟ ଚାଲିଛି। ଜନସାଧାରଣଙ୍କ ସୁରକ୍ଷା ଓ କାର୍ୟ୍ୟରେ ବାଧା ସୃଷ୍ଟି ନହେବା ପାଇଁ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଜି ସକାଳୁ ପୁଣି ଦୁର୍ଘଟଣାସ୍ଥଳରେ ପହଞ୍ଚି ପୁନରୁଦ୍ଧାର କାମର ତଦାରଖ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଘଟଣାସ୍ଥଳରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପୁନରୁଦ୍ଧାର କାମରେ ନିୟୋଜିତ ଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ରେଳମନ୍ତ୍ରୀ । ଏହା ସହ ଆଜି ସଂଧ୍ୟା ସୁଦ୍ଧା ପୁନରୁଦ୍ଧାର କାମ ଶେଷ ହେବ ବୋଲି କହିଛନ୍ତି । ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି । ସୂଚନା ଅନୁଯାୟୀ, ଉଦ୍ଧାରକାରୀ ଟିମ୍ ମୋଟ ୨୧ଟି ବଗିକୁ ଧାରଣା ଉପରୁ ଉଠାଇଛି। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଦୁର୍ଘଟଣାସ୍ଥଳରେ ୭ଟି ପ୍ରୋକ୍ଲିନ ମେସିନ, ୨ଟି ଦୁର୍ଘଟଣା ରିଲିଫ ଟ୍ରେନ, ୩-୪ଟି ରେଳୱେ ଓ ରୋଡ୍ କ୍ରେନ୍ ନିୟୋଜିତ ହୋଇଛନ୍ତି । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରୁଛନ୍ତି। ଏହା ସହ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିଛି । ଖୁବ୍ ଶୀଘ୍ର ତଦନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।