ମାଲକାନଗିରି (ସୂର୍ଯ୍ୟକାନ୍ତ ବେହେରା): ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ବସଷ୍ଟାଣ୍ଡରୁ ୩ ଜଣ ଶ୍ରମିକ ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ କାଲିମେଳା ଏବଂ କାଲିମେଳାରୁ କରିମନଗର ସ୍ଥାନକୁ ୪ ଜଣ ଶିଶୁ ଶ୍ରମିକ ସମେତ ମୋଟ ୧୫ ଜଣ ଶ୍ରମିକଙ୍କୁ ବେଆଇନ ବେଆଇନ ଭାବେ ଚାଲାଣ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଶ୍ରମିକ ଚାଲାଣ ହେଉଥିବା ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କାଲିମେଳା ଥାନା ଅନ୍ତର୍ଗତ ଏମଭି-୫୭ ଗ୍ରାମର ତପନ ମଣ୍ଡଳ, ସଚିନ ସରଦାର ଏବଂ ଉମରକୋଟ ଥାନା ବିକଲପଦର ଗ୍ରାମର ମୋହନ ହରିଜନ ।
ଏିଶୁ ଶ୍ରମିକ ମାନଙ୍କୁ ଅଧିକ ଅର୍ଥ ଲୋଭ ଦେଖାଇ କରିମନଗରରେ କାମ କରିବା ପାଇଁ ମୋହନ ୪ ନାବାଳକଙ୍କ ସମେତ ମୋଟ ୧୫ ଜଣ ଶ୍ରମିକକୁ କାଲିମେଳା ନେଇଆସିଥିଲା । ପରେ ସଚିନ ଏବଂ ତପନ ମୋହନଠାରୁ ୧୫ଜଣ ଶ୍ରମିକ ଗ୍ରହଣ କରୁଥିବା ସମୟରେ କାଲିମେଳା ମୁଖ୍ୟ ଛକଠାରେ ପେଟ୍ରୋଲିଂ ଦାୟୀତ୍ଵରେ ଥିବା ଏଏସଆଇ କୁନାଲ କୁମାର, ହରି ଖରା, ହାବିଲଦାର ବନ୍ଧୁ ବିଦ୍ୟାର ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କର ସନ୍ଦେହ ହୋଇଥଇଳା । ପଚରାଉଚରା ପରେ ସେଠାରେ ଶ୍ରମିକ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା ପୋଲିସ । ଏହା ପରେ ସେମାନଙ୍କୁ ଗିରଫ କରି କାଲିମେଳା ପୋଲିସ ୨୧୪/୨୧ରେ ବିଭିନ୍ନ ସଂଗୀନ ଦଫା ଲଗାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । ଉଦ୍ଧାର ଶ୍ରମିକ ମାନଙ୍କୁ ନିଜ ଅଞ୍ଚଳକୁ ଫେରିବା ପାଇଁ କାର୍ୟ୍ୟ ଚାଲିଥିବା ସହ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରି ଜଗଦୀଶ ବାରା ସୂଚନା ଦେଇଛନ୍ତି ।