ରାହୁଲ ଗାନ୍ଧୀଙ୍କୁ ଇଡିର ପଚରା ଉଚୁରା ଜାରି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଇଡି ପକ୍ଷରୁ ୧୩ ତାରିଖରେ ହାଜର ହେବା ଲାଗି ନୋଟିସ କରିଥିଲା । ଏହାର ପ୍ରତିବାଦରେ କଂଗ୍ରେସ ନେତାମାନେ ଦେଶର ୨୫ଟି ଇଡି ଅଫିସ୍ ଆଗରେ ପ୍ରତିବାଦ କରିଛନ୍ତି । ତେବେ ଶ୍ରୀ ଗାନ୍ଧୀ ହାଜର ହେବା ପୂର୍ବରୁ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ପ୍ରତିବାଦ ସ୍ୱରୂପ ଇଡି ଅଫିସ ଆଡକୁ ଶୋଭାଯାତ୍ରାରେ ଯାଇଥିଲେ । ଇଡି ପକ୍ଷରୁ ବର୍ତ୍ତମାନ ଶ୍ରୀ ଗାନ୍ଧୀଙ୍କୁ ପଚାରାଉଚୁରା ଜାରି ରହିଛି । ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଏ ପ୍ରତିବାଦ ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ନୁହେଁ ବରଂ ଗାନ୍ଧୀ ପରିବାରର ଦୁଇ ହାଜର କୋଟି ଟଙ୍କାର ସମ୍ପତ୍ତି ବଞ୍ଚାଇବା ପାଇଁ ପ୍ରୟାସ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କ ସହାୟତାରେ ନେସଲନାଲ ହେରାଲ୍ଡ ପ୍ରତିଷ୍ଠା ହୋଇଥିଲା । କଂଗ୍ରେସ ଦ୍ୱାରା ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ କମ୍ପାନୀ ମାଧ୍ୟମରେ ଏହାକୁ କବଜା କରାଯାଇଥିଲା । ଗୋଟିଏ ପରିବାର ଲାଗି ତଦନ୍ତକାରୀ ସଂସ୍ଥା ଉପରେ ଚାପ ପକାଇବା ଘଟଣା ଦେଶରେ କେବେ ଘଟିନଥିଲା ବୋଲି ଶ୍ରୀମତୀ ଇରାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ସମ୍ପୃକ୍ତ ଘଟଣାରେ ପ୍ରତିବାଦ କରୁଥିବାବେଳେ କଂଗ୍ରେସର ତୁଙ୍ଗ ନେତାମାନଙ୍କୁ ଦିଲ୍ଲୀ ପୁଲିସ ଦ୍ୱାରା ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପି ଚିଦାମ୍ବରମ୍, ରଣଦୀପ ସିଂ ସୁରେଜୱାଲା, ଦିଗବିଜୟ ସିଂ କେସି ବେଣୁଗୋପାଳ, ଅଧିର ରଞ୍ଜନ ଚୌଧୁରୀ ପ୍ରମୁଖ ପୁଲିସ ଅଟକ ରଖିଛି । ଓଡ଼ିଶା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେୃତତ୍ୱ ଭୁବନେଶ୍ୱର ନଆପଲ୍ଲୀରେ ଇଡି ଅଫିସ୍ ଆଗରେ ଧାରଣା ଦେଇ ପ୍ରତିବାଦ କରିଥିଲେ । ଏହା ଅତ୍ୟାଚାରୀ ବିଜେପି ସରକାରର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ମହାପାତ୍ର, ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ ।