(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଫ୍ରାନ୍ସ୍ ସହ ରାଫେଲ୍ ରାଜିନାମା ଘୋଷଣାର କିଛି ମାସ ପରେ ଅନୀଲ ଅମ୍ବାନୀଙ୍କ ଫ୍ରାନ୍ସସ୍ଥିତ ଟେଲିକମ୍ କମ୍ପାନୀ ‘ରିଲାଏନ୍ସ୍ ଆଟ୍ଲାଣ୍ଟିକ୍ ଫ୍ଲାଗ୍ ଫ୍ରାନ୍ସ୍’ ଉପରେ ଥିବା ୧୬୨. ୬ ମିଲିୟନ୍ ଡଲାରର ବକେୟା ଟିକସକୁ ଫରାସୀ କର୍ତ୍ତୃପକ୍ଷମାନେ ଛାଡ଼ କରିଥିଲେ । ସେଠାର ଏକ ଗଣମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଛି ।
ଅକ୍ଟୋବର ୨୦୧୫ରେ ଭାରତ ଓ ଫ୍ରାନ୍ସ୍ସ୍ଥିତ ଦାସଲଟ୍ ଏଭିଏସନ୍ ରାଫେଲ୍ ରାଜିନାମା ସଂକ୍ରାନ୍ତରେ ବୁଝାମଣା ସମୟରେ ଟିକସ ବିବାଦ ତୁଟିଥିଲା। ଏହାର ଅଳ୍ପ କେତେ ମାସ ପୂର୍ବରୁ ଏପ୍ରିଲ୍ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ସରକାରୀ ଗସ୍ତରେ ଫ୍ରାନ୍ସ୍କୁ ଯାଇଥିବା ସମୟରେ ଘୋଷଣା କରିଥିଲେ ଯେ ଫରାସୀ କମ୍ପାନୀ ଦାସଲଟ୍ ଠାରୁ ଭାରତ ୩୬ଟି ପୂର୍ଣ୍ଣ ନିର୍ମିତ ରାଫେଲ୍ ଲଢୁଆ ବିମାନ ଖରିଦ କରିବ।
୨୦୦୭ ରୁ ୨୦୧୦ ମଧ୍ୟରେ ୬୦ ମିଲିୟନ୍ ୟୁରୋ ଟିକସ ବାକି ପଡ଼ିଛି ବୋଲି ଅନୀଲ ଅମ୍ବାନୀଙ୍କ କମ୍ପାନୀରେ ଫରାସୀ ଟିକସ କର୍ତ୍ତୃପକ୍ଷମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ। ରିଲାଏନ୍ସ ଆଟଲାଣ୍ଟିକ୍ ଫ୍ଲାଗ୍ ଫ୍ରାନ୍ସ୍ ଟିକସ ବାବଦରେ ୭. ୬ ମିଲିୟନ୍ ୟୁରୋ ଦେବାକୁ କହିଥିଲା, କିନ୍ତୁ ଫରାସୀ କର୍ତ୍ତୃପକ୍ଷମାନେ ଏହାକୁ ଅଗ୍ରାହ୍ୟ କରିବା ସହ ଆଉ ଥରେ ଅନୁସନ୍ଧାନ କରିଥିଲେ ବୋଲି ରିପୋର୍ଟ କହୁଛି।
୨୦୧୦ ରୁ ୨୦୧୨ ସମୟ ଅବଧି ପାଇଁ ଫରାସୀ କର୍ତ୍ତୃପକ୍ଷମାନେ ପୁଣି ଏକ ଅନୁସନ୍ଧାନ କରି ଅନୀଲ ଅମ୍ବାନୀଙ୍କ କମ୍ପାନିକୁ ଆହୁରି ଅତିରିକ୍ତ ୯୧ ମିଲିୟନ୍ ୟୁରୋ ଟିକସ ଦେବାକୁ କହିଥିଲେ।