ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ନେଇ କଟାକ୍ଷ କଲେ ବିଷ୍ଣୁ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି। ଏହା ବିଶ୍ୱସ୍ତରୀୟ ପ୍ରଶ୍ନ ପତ୍ର ଲିକ ଘଟଣା କହି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଷ୍ଣୁ। ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲଗାତାର ୩ ଦିନ ହେଲା ପ୍ରଶ୍ନ ପତ୍ର ଲିକ ଅଭିଯୋଗ ହୋଇଛି। ଶୂନ୍ୟକାଳରେ ଏ ନେଇ ପ୍ରଶ୍ନ ଉଠାଇ ସରକାରଙ୍କୁ ବିରୋଧୀ ଦଳ ଉପନେତା ସମାଲୋଚନା କରିଛନ୍ତି। ବିଷ୍ଣୁ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ କହୁଛନ୍ତି ଆମେ ସବୁଥିରେ ବିଶ୍ବସ୍ତରୀୟ। ସରକାରୀ ଦଳର ନେତା କୁହନ୍ତି, ସବୁ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଲାଗି ସମ୍ଭବ। ପ୍ରଶ୍ନ ପତ୍ର ଲିକ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସଫଳତା କି କହି ସରକାରୀ ଦଳକୁ ସମାଲୋଚନା କରିଛନ୍ତି ବିଷ୍ଣୁ। ବାସ୍ତବରେ ଶିକ୍ଷା କ୍ଷେତ୍ରରେ କଣ ହେଉଛି ସେ ନେଇ ପ୍ରଶ୍ନ କରିଛନ୍ତି ବିଷ୍ଣୁ।
ଛାତ୍ରଛାତ୍ରୀଙ୍କୁ ପାସ କରାଇବାକୁ ଆମ ଶିକ୍ଷାମନ୍ତ୍ରୀ ମାନେ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇ ବିଶ୍ବସ୍ତରୀୟ କରିବାକୁ ଚାହୁଛନ୍ତି । ଯାହା ପାଇଁ ଏ ଭଳି ଅନେକ ଘଟଣା ଘଟିଥିଲେ ବି କିନ୍ତୁ ସାମ୍ନାକୁ ଆସୁନି। ଏବେ ଦଶମ ପରୀକ୍ଷା ଫଳ ବାହାରିଛି, ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି। କେଉଁ ସରକାରୀ ହାଇସ୍କୁଲ ସଫଳତା ପାଇଛି ମନ୍ତ୍ରୀ ଉତ୍ତର ଦେବାକୁ ସେ ଦାବି କରିଛନ୍ତି। ଏହା ସହ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ଅଧ୍ୟାପକ ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କଥା ସାମ୍ନାକୁ ଆସିଛି। ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ କରାଇବା ପାଇଁ କଣ କରାଯାଇଥିଲା, ଏ ବାବଦରେ ଗୃହରେ ନଜିର ରହିଛି। ଏ ଭଳି ଘଟଣା ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ସହ ଏ ପ୍ରସଙ୍ଗରେ ଗୃହରେ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦାବି କରିଛନ୍ତି।