ଡେରାଡୁନ : ଉପନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି ବରିଷ୍ଠ ବିଜେପି ନେତା ପୁଷ୍କର ସିଂହ ଧାମି । ପୂର୍ବରୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସେ ପରାସ୍ତ ହୋଇଥିଲେ । ତଥାପି ତାଙ୍କ ଉପରେ ବିଶ୍ୱାସ ରଖି ଦଳ ହାଇକମାଣ୍ଡ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲେ । ଆଉ ନିୟମ ଅନୁସାରେ, ୬ମାସ ମଧ୍ୟରେ ଉପନିର୍ବାଚନରେ ବିଜୟୀ ହେବାକୁ କୁହାଯାଇଥିଲା । ତେବେ ଉତ୍ତରାଖଣ୍ଡ ଚମ୍ପାବତୀ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ପୁଷ୍କର ସିଂହ ଧାମି ୫୫ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସୂଚନାଯୋଗ୍ୟ, ଏହି ନିର୍ବାଚନରେ ନିଜର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଉତ୍ତରାଖଣ୍ଡ ସରକାର କଳ, ବଳ ଓ କୌଶଳ ପ୍ରୟୋଗ କରିଥିଲା । ଏପରିକି ନିର୍ବାଚନୀ ପ୍ରଚାରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଇଦାନକୁ ଓହ୍ଲାଇଥିଲେ । ଏହାବ୍ୟତି ବିଜେପିର ବହୁ ତୁଙ୍ଗ ନେତା ତାଙ୍କ ପାଇଁ ପ୍ରଚାର କରିବା ପୁଷ୍କରଙ୍କ ପାଇଁ ଫଳପ୍ରଦ ହୋଇପାରିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।