(ଜୟନ୍ତ କୁମାର ସେଠୀ / ପୁରୀ): ଏଣିକି ପୁରୀ ବାସିନ୍ଦା ପାଇବେ ତାଜା ଜୀଅନ୍ତା ମାଛ , କଙ୍କଡା ଓ ଚିଙ୍ଗୁଡ଼ି । କେବଳ ସେତିକି ନୁହେଁ ଭଳିକି ଭଳି ମଧୁର ଲୁଣି ମାଛ ମଧ୍ୟ ପାଇବେ।ପୂର୍ବରୁ ଚୁଙ୍ଗୁଡି,ମାଛ, କଙ୍କଡା ବିକ୍ରୀ କରୁଥିବା ବେଳେ ବିଭିନ୍ନ ସମସ୍ୟା ହେଉଥିବାର ମତ୍ସ ବ୍ୟବସାୟୀ କହୁଛନ୍ତି।ସବୁଠୁ ବଡ଼ କଥା ହେଲା ଅତ୍ୟାଧୁନିକ ଏସି ମଲରେ ଜିନିଷ ବିକ୍ରି ହେଲା ଭଳି ସ୍ୱାସ୍ତ୍ୟ କର ପରିବେଶ ବିକ୍ରି ହେବ ମାଛ , କଙ୍କଡା ଓ ଚିଙ୍ଗୁଡ଼ି। ପୁରୀ ଏବଂ ସମ୍ବଲପୁରରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ଦ୍ୱିତୀୟ ହାଇଜେନିକ ଫିଶ ମାର୍ଟ। ଗ୍ରାହକଙ୍କୁ ଭଲ ଜିନିଷ ଉପଲବ୍ଧ ସହ ମତ୍ସ୍ୟ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ଏକାଠି କରି ଭଲ ରୋଜଗାର ଦେବା ଲକ୍ଷରେ ଏହି ଅତ୍ୟାଧୁନିକ ଫିଶ ମାର୍ଟ ପୁରୀରେ ରାଜ୍ୟ ମତ୍ସ ସମ୍ପଦ ବିଭାଗ କରିବ। ଏ ନେଇ ମତ୍ସ୍ୟଜୀବୀ ମାନେ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ବେସ ଖୁସି ଅଛନ୍ତି।
ପୁରୀର ତାଲବଣିଆରେ ଜାଗା ଚିହ୍ନଟ ହୋଇଛି। ୨ ଏକ ଜାଗାରେ ୬ କୋଟି ଟଙ୍କା ବିନିମୟରେ ଏହି ଅତ୍ୟାଧୁନିକ ଫିଶ ମାର୍ଟ ହେବ ପୁରୀ ସହରରେ। ପୁରୀ ତଥା ଶ୍ରୀକ୍ଷେତ୍ର ଧାମ ସାରା ବିଶ୍ୱରେ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ। ବିଶ୍ୱର କୋଣ ଅନୁକୋଣରୁ ପୁରୀକୁ ଭ୍ରମଣ ଓ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। କିନ୍ତୁ ପୁରୀ ରେ ସେଭଳି ନିର୍ଦିଷ୍ଟ ମାଛ ମାର୍କେଟ ନ ଥିବା ହେତୁ ବଡ଼ ଦାଣ୍ଡ ସମେତ ବିଭିନ୍ନ ରାସ୍ତାରେ ମାଛ ବ୍ୟବସାୟ ହେଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ପୁରୀକୁ ଆସୁଥିବା ପର୍ୟ୍ୟଟକ ଏକ ଧାର୍ମିକ କ୍ଷେତ୍ରରେ ଏଭଳି ପରିବେଶ ପାଇଁ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏଣୁ ପୁରୀରେ ମାଛ ମାର୍କେଟକୁ ବ୍ୟବସ୍ଥିତ କରିବା , ସୁସ୍ଥ ପରିବେଶରେ ସତେଜ ଭଳିକି ଭଳି ମାଛ ଗ୍ରହକଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଏହି ହାଇଜେନିକ ଫିଶ ମାର୍କେଟର ପରିକଳ୍ପନା କରାଯାଇଛି। ଖୁବ ଶୀଘ୍ର ଏହି ଅତ୍ୟାଧୁନିକ ଫିଶ ମାର୍ଟ ପୁରୀରେ ନିର୍ମାଣ ହେବାକୁ ଥିବା ବେଳେ ମତ୍ସ ଜୀବି ଏବଂ ପୁରୀବାସିନ୍ଦା ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି।
ତେବେ ପୁରୀ ସହର ସହିତ କୋଣାର୍କ ଚନ୍ଦ୍ରଭାଗାରେ ମଧ୍ୟ ଜିଲ୍ଲାର ଦ୍ୱିତୀୟ ହାଇଜେନିକ ଫିଶ ମାର୍ଟ ନିର୍ମାଣ ନେଇ ମଧ୍ୟ ଜିଲା ପ୍ରଶାସନ ଯୋଜନା କରିଛି। ଯଦି ଏହି ପ୍ରକଳ୍ପ ହୋଇଯାଏ ନିଶ୍ଚିତ ଭାବେ ପୁରୀର ମତ୍ସଜୀବିଙ୍କ ସମେତ ଜିଲ୍ଲା ବାସୀ ବେଶ ଉପକୃତ ହେବେ।