ପୁରୀ: ରଥଯାତ୍ରା ଅଘଟଣରେ ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ଘଟଣାର କେଇଟା ଘଣ୍ଟାରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ପୁଣି ପୁରୀକୁ ଫେରିଲେ ପିନାକ ମିଶ୍ର । ପିନାକ ମିଶ୍ର ହେଲେ ପୁରୀ ଏସପି । ସେହିପରି ଚଞ୍ଚଳ ରାଣା ହୋଇଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ କାର୍ଯ୍ୟରେ ଅବହେଳା କାରଣରୁ ୨ଜଣଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏଥିସହ ପ୍ରଶାସନିକ ତଦନ୍ତ ପାଇଁ ନର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ତେବେ ପୁରୀ ରଥଯାତ୍ରା ଅଘଟଣରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ବଦଳିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସପି । ଏଥିସହ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ ରାଣା । ସେହିପରି ଏସ୍ପି ଭିନୀତ୍ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ଡିିସିପି ବିଷ୍ଣୁ ପତି ଓ କମାଣ୍ଡାନ୍ଟ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ତେବେ କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଉପସ୍ଥିତ ଥିଲେ । ରଥଯାତ୍ରା ଅଘଟଣକୁ ନେଇ ବୈଠକରେ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଏହି ଦଳାଚକଟା ଘଟଣାରେ ମୃତ୍ୟୁବରଣ କରିଥିବା ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।

ସୂଚନାଯୋଗ୍ୟ, ଆଜି ସକାଳେ ଶରଧାବାଲିରେ ଠେଲାପେଲା ଭଳି ସ୍ଥିତି ଉପୁଜିଥିବାରୁ ୩ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିଲା । ଭୋର ପ୍ରାୟ ୪ଟା ୨୦ରେ ଏହି ଅଘଟଣ ଘଟିଥିଲା । ତେବେ ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲା ପରି ପରିସ୍ଥିତି ଉପୁଜିଥିଲା । ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଭକ୍ତଙ୍କ ଭିଡ଼ ଭିତରେ ଚାରମାଳ କାଠ ବୋଝେଇ ଟ୍ରକ ପଶିଥିବାରୁ ଏପରି ସ୍ଥିତି ଉପୁଜିଥିଲା ।