(ଜୟନ୍ତ କୁମାର ସେଠୀ /ପୁରୀ): ସବୁ ସୀମା ଟପିଗଲା ପୁରୀ ପୋଲିସ । ଜଗନ୍ନାଥଙ୍କ ଜଳନ୍ତା ଦୀପକୁ ଠିଆ ଗୋଇଠା ମାରିଲେ ହୋମଗାର୍ଡ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ପରଠାରୁ ପୋଲିସର ଦବଙ୍ଗଗିରି ବଢିବାରେ ଲାଗିଛି । କେତେବେଳେ ସାଧାରଣ ଜନତାଙ୍କୁ ରାସ୍ତାରେ ଅଟକାଇ ହଇରାଣ ହରକତ କରୁଛି ତ କେତେବେଳେ ମାସ୍କ ପିନ୍ଧିଥିଲେ ବି ଲୋକଙ୍କ ଠାରୁ ଆଦାୟୁ କରୁଛି ମୋଟା ଅଙ୍କର ଫାଇନ । ସେମିତି ପୁଣି ଏକ ଅମାନସିକ କାର୍ଯ୍ୟ କରିଛି ପୁରୀ ପୋଲିସ । ଶ୍ରୀମନ୍ଦିର ସମ୍ମୁଖରେ ଜଗନ୍ନାଥଙ୍କୁ ଅର୍ପିତ ହୋଇଥିବା ଜଳନ୍ତା ଦୀପକୁ ଗୋଇଠା ମାରି ଜଗନ୍ନାଥଙ୍କୁ ଓ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଅସମ୍ମାନ କରିଛି ପୋଲିସ ।
ଶ୍ରୀମନ୍ଦିର ସିଂହ ଦ୍ୱାର ସମୂଖରେ ଦୀପ ବିକ୍ରି କରୁଥିବା ଜଣେ ଗରିବ ମହିଳାର ଦୀପକୁ ଡ୍ୟୁଟିରେ ଥିବା ଜଣେ ହୋମ ଗାର୍ଡ ଗୋଇଠା ମାରି ଭାଙ୍ଗି ଦେଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗରୀବ ଲୋକଙ୍କ ଉପରେ ପୁରୀ ପୋଲିସର ଜୁଲମକୁ ନେଇ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପଇଛି। ସୂଚନା ଅନୁଯାୟୀ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ଥିବା ବେଳେ ବଡ଼ ଦାଣ୍ଡ ଉଠା ଦୋକାନୀଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଛି। ଦିନକୁ ୫୦ ଟଙ୍କା ରୋଜଗାର ହେବା ବି ମୁସ୍କିଲ ହୋଇ ପଡିଛି। ସ୍ତାନୀୟ ଲୋକ କିଛି ଶ୍ରୀମନ୍ଦିର ସିଂହ ଦ୍ୱାର ସମୁଖ ଦର୍ଶନ କରୁଥିବା ହେତୁ କିଛି ଲୋକ ଅଳ୍ପ ଦୀପ ବିକ୍ରି କରି ଦିନକୁ ୫୦ ରୁ ୧୦୦ ଟଙ୍କା ରୋଜଗାର କରି ଅତି କଷ୍ଟରେ ଘର ଚଳାଉଛନ୍ତି। ଏଭଳି ପରିସ୍ଥିତିରେ ଦୀପ ବିକ୍ରି ଯୋଗୁ ଲୋକଙ୍କ ଗହଳି ହେଉଥିବା ନେଇ ପୋଲିସ ଦୀପ ଦୋକାନକୁ ଅନୁମତି ଦେଉ ନାହିଁ। କିଛି ଗରିବ ମହିଳା ସିଂହ ଦ୍ୱାର ରାଧାବଲ୍ଲବ ମଠ ଆଗରେ ଅଳ୍ପ କିଛି ଦୀପ ବିକ୍ରି କରି ଅଳ୍ପ ରୋଜଗାର ଆଶାରେ ଥିବା ବେଳେ ପ୍ରତିଦିନ ପୋଲିସ ଦୀପ ଗୁଡ଼ିକୁ ଫିଙ୍ଗା ଫୋପଡା କରୁଛି। ଗତ ରବିବାର ପୋଲିସର ଏହି କାର୍ୟ୍ୟ ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ମୋବାଇଲରେ ଉଠାଇ ସୋସିଆଲ ମିଡିଆରେ ଛାଡି ଦେଇଛି। ଏହି ଭିଡ଼ିଓ ଏବେ ଭାଇରାଲ ହେବା ପରେ ପୋଲିସ ଏଭଳି ଅମାନବୀୟ କାର୍ୟ୍ୟକୁ ସମସ୍ତେ ତୀବ୍ର ନିନ୍ଦା କରିଛନ୍ତି। ପୋଲିସ କର୍ମଚାରୀ ମାସକୁ ମାସ ଦରମା ପାଉଥିବା ବେଳେ ସେମାନେ ରୋଜଗାର ନ ଥିବା ଲୋକଙ୍କ ଅସୁବିଧା କଣ ଜାଣିବେ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି। ତେବେ ଏଭଳି କ୍ରୁର , ଅମାନବୀୟ ଆଚରଣ କରୁଥିବା ପୋଲିସ କର୍ମଚାରୀ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ପୋଲିସ ବିଭାଗକୁ ଦାବି ହୋଇଛି।