ପିପିଲି: ଜୁଲାଇ ୧୯ ତାରିଖ, ଶନିବାର । କିଏ ଓ କାହିଁକି ଜଣେ ନାବାଳିକାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ? କୁଆଡେ ଗଲେ ୩ ଜଣ ଦୁର୍ବୃତ୍ତ ? ଘଟଣା ପଛରେ ରହିଛି କି ଆଉ କିଛି ରହସ୍ୟ ? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ତଦନ୍ତକାରୀ ଟିମ୍ ପୂରା ଜୋର୍ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ଖୁଲାସା ହୋଇନି । ସେପଟେ ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ହୋଇଛି ବୟାନ ରେକର୍ଡ । ପୋଲିସ ଓ ଡାକ୍ତରଙ୍କ ଉପସ୍ଥିତିରେ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ । ବୟାନ ରେକର୍ଡ ସମୟରେ ଉପସ୍ଥିତ ଥିଲେ ପରିବାର ସଦସ୍ୟ । ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସର ଖୋଳତାଡ଼ ଆରମ୍ଭ । ସେପଟେ ଘଟଣାରେ ପୋଲିସ ଅନେକ ତଥ୍ୟ ହାସଲ କରିଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଅଢେଇ ମାସ ତଳେ ପୀଡ଼ିତା ତାଙ୍କ ସାଙ୍ଗ ସହ ଦୋକାନକୁ ଆସିଥିଲେ ଏବଂ ପୀଡ଼ିତାଙ୍କ ସାଙ୍ଗ ରୂପା ମୁଦି ନେଇଥିଲେ ବୋଲି ବୟାନ ଦେଇଛନ୍ତି ଗହଣା ଦୋକାନୀ ।
ମାରାଥନ୍ ଜେରା ବେଳେ ମୁହଁ ଖୋଲିଲେ କ୍ରୀଷ୍ଣା ଜୁଏଲାରୀ ଦୋକାନୀ କୁନୁ ସାହୁ । ଅଢ଼େଇ ମାସ ତଳେ ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି। ସାଙ୍ଗରେ ଆସିଥିଲେ ଅନ୍ୟ ଜଣେ ନାବାଳିକା। ମୁଦି ବାବଦକୁ ୫୦୦ଟଙ୍କା ଦେଇଥିବା ଗହଣା ଦୋକାନୀ ସୂଚନା ଦେଇଛନ୍ତି। ଜେରା ପରେ ଜୁଏଲାରୀ ମାଲିକ କୁନୁ ସାହୁଙ୍କୁ ଛାଡ଼ିଛି ପୁଲିସ। ତେବେ ପୀଡ଼ିତାଙ୍କ ପାଖକୁ ମୁଦି କେମିତି ଗଲା ତାହା ଏବେ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି । ତେବେ ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୁଲିସର ହାତ ଖାଲି ରହିଛି । ପୀଡ଼ିତାଙ୍କ ସାଙ୍ଗ, ପଡ଼ୋଶୀ, ଅଳଙ୍କାର ଦୋକାନୀଙ୍କୁ ରାତି ତମାମ ଜେରା କରିଛି ପୁଲିସ । ଅନ୍ୟପଟେ ପୀଡିତାଙ୍କୁ ସେଦିନ ବଞ୍ଚାଇଥିବା ଦୁଃଖିଶ୍ୟାମ ସେନାପତିଙ୍କୁ କିଛି ଦୁର୍ବୃତ୍ତ ଧମକ ଦେବା ପରେ ଦୁଃଖିଶ୍ୟାମ ଘର ସାମ୍ନାରେ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଦିଆଯାଉଛି ।