ଏ ହେଉଛି ବିଶ୍ଵର ସବୁଠାରୁ ବଡ ରୋଷଶାଳା, ଯେଉଁଠାକୁ ଯିବା ସମସ୍ତଙ୍କୁ ମନା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ରୀତିନୀତିର ରହିଛି କିଛି ନା କିଛି ସ୍ୱତନ୍ତ୍ରତା । ସେହିଭଳି ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ମହାପ୍ରସାଦ ଏବଂ ଏହି ମହାପ୍ରସାଦ ପ୍ରସ୍ତୁତ ହେଉଥିବା ମହାପ୍ରଭୁଙ୍କ ରୋଷଶାଳାର ମଧ୍ୟ ରହିଛି ଅନେକ ଅଲୌକିକ କାହାଣୀ । ଶ୍ରୀ ଜଗନ୍ନାଥଙ୍କ ରୋଷଶାଳାକୁ ବିଶ୍ଵର ସବୁଠୁ ବଡ ରୋଷଶାଳା ବୋଲି କୁହାଯାଏ । ଶ୍ରୀ ମନ୍ଦିରର ଦକ୍ଷିଣ-ପୂର୍ବ ଦିଗରେ ରହିଛି ମହାପ୍ରଭୁଙ୍କର ଏହି ରୋଶଷାଳା । ମା’ ମହାଲକ୍ଷ୍ମୀ ଏହି ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ରୋଷେଇ କରନ୍ତି ।

ଏହି ରୋଷଶାଳାର ଲମ୍ବ ୧୫୦ ଫୁଟ୍ ଓ ଉଚ୍ଚତା ୨୦ ଫୁଟ୍ । ରୋଷଶାଳାରେ ୩୨ଟି ବଖରା ଘର ରହିଥିବା ବେଳେ ୨୫୦ଟି ମାଟି ଚୁଲି ରହିଛି । ପ୍ରତ୍ୟେକ ଚୁଲିର ୬ ଗୋଟି ପଖା ବା ମୁଖ ଅଛି । ଏ ଚୁଲି ସମଗ୍ର ଭାରତ ବର୍ଷରେ କେଉଁଠାରେ ନାହିଁ । ଏହି ଚୁଲି ସମ୍ପୁର୍ଣ୍ଣ ବେଦ ବୈଦିକ ବିଧାନ ଅନୁସାରେ ରୋଷଶାଳାଟି ପ୍ରସ୍ତୁତ । ଅଗ୍ନିଙ୍କର ଯେପରି ୬ ଗୋଟି ମୁଖ ରହିଛି, ଚୁଲିର ମଧ୍ୟ ୬ ଗୋଟି ପଖା ରହିଛି । ଏହି ୬ ଗୋଟି ପଖା ରେ ପ୍ରତ୍ୟେକ ଗୋଟିଏ ଗୋଟିଏ ମୁଖରେ ଗୋଟିଏ ଗୋଟିଏ କୁଡୁଆ ରଖାଯାଏ ଏବଂ ସେହି କୁଡୁଆ ଉପରେ ୬ଗୋଟି କୁଡୁଆ ରଖାଯାଇ ରୋଷେଇ କରାଯାଏ । ମହାପ୍ରଭୁଙ୍କର ଅନ୍ନ ବ୍ୟଞନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରି ପ୍ରସ୍ତୁତ କରାଯାଏ ନାହିଁ ।

ଏହି ରୋଷଶାଳାର ନିଆଁକୁ ବୈଷ୍ଣବ ଅଗ୍ନି କୁହାଯାଏ । ରୋଷଶାଳାର ପ୍ରାଙ୍ଗଣରେ ଗଙ୍ଗା ଏବଂ ଯମୁନା ନାମରେ ୨ଟି କୂଅ ରହିଛି । କିନ୍ତୁ ପ୍ରଭୁ ଯେତେବେଳେ ଅଣସର ଘରେ ଥାଆନ୍ତି ସେତେବେଳେ ମା ମହାଲକ୍ଷ୍ମୀ ଏହି ରୋଷଶାଳାକୁ ଆସନ୍ତି ନାହିଁ । ରୋଷଘରକୁ ଯେଉଁ ସେବାୟତ ପ୍ରବେଶ କରନ୍ତି ମଥାରେ ତାଙ୍କର କେବଳ ଦକ୍ଷିଣକାଳୀଙ୍କର ସିନ୍ଦୁର ଛଡା ଅନ୍ୟ ଯେଉଁ ଦେବାଦେବୀଙ୍କ ସିନ୍ଦୁର ଲଗାଇଲେ ରୋଷଘରକୁ ପ୍ରବେଶ ନିଷେଧ । ଏଠାରେ ରୋଷେଇ ହେଉଥିବା ମହାପ୍ରସାଦ କେବେ ହେଲେ ଭକ୍ତଙ୍କ ମଧ୍ୟରେ ନିଅଣ୍ଟ ପଡେନି ।

ମହାପ୍ରଭୁଙ୍କ ରୋଷଘର ଦେଖିବାକୁ ସର୍ବସାଧାରଣଙ୍କୁ ମନା, କାରଣ ଆମ ଉତ୍କଳୀୟ ସଂସ୍କୃତିକୁ ମହାପ୍ରଭୁ ସବୁବେଳେ ବଜାୟ ରଖିଆସିଛନ୍ତି । କଥାରେ ଅଛି, ବାହାର ଲୋକ ଆମ ରୋଷେଇ ଘର ଦେଖିଲେ ହାଣ୍ତି ମାରା ହୁଏ, ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ସର୍ବସାଧାରଣଙ୍କୁ ଦେଖିବା ମନା । ମହାପ୍ରଭୁ ଯେତେବେଳେ ଶ୍ରୀଗୁଣ୍ତିଚା ଘରକୁ ଯାଆନ୍ତି ସେତେବେଳେ ଏହି ଚୁଲି ସବୁ ଭଙ୍ଗା ହୋଇଯାଇଥାଏ । କାରଣ ସେ ଚୁଲି ଯେପରି କେହି ନ ଦେଖିପାରିବେ ।