ପୁରୀ: ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର । ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଟିକେଟ୍ ଦର୍ଶନ ବ୍ୟବସ୍ଥା । ଜଣେ ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ ୧୦ ଟଙ୍କା ରହିବ । ୫ ବର୍ଷରୁ କମ୍, ୮୦ ବର୍ଷରୁ ଅଧିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଦେୟମୁକ୍ତ ଦର୍ଶନ । ପ୍ରତିଦିନ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର । ତେବେ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଚାଲିବ ଦର୍ଶନ । ସିଂହଦ୍ବାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଓ ପ୍ରସ୍ଥାନ କରିବେ ଭକ୍ତ । ମାଗଣା ଚପଲ, ମୋବାଇଲ୍ ଷ୍ଟାଣ୍ଡ ଓ ପାନୀୟ ଜଳ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ତେବେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଗୁଣ୍ଡିଚା ମନ୍ଦିର ଖୋଲିବା ଲାଗି ଗତ ପରିଚାଳନା କମିଟିରେ ନିଆଯାଇଥିଲା ନିଷ୍ପତ୍ତି। ଶ୍ରୀମନ୍ଦିର ପ୍ରଶାସନ ଗୁଣ୍ଡିଚା ମନ୍ଦିରର ପରିଚାଳନା କରିବ l ତେବେ ଭକ୍ତଙ୍କ ପାଇଁ ଟିକେଟ ଦର୍ଶନ ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ l ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଥିବାବେଳେ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ସମସ୍ତ ଅବରୋଧକୁ ହଟା ଯାଇଛି l ଦୀର୍ଘ ୬ବର୍ଷ ପରେ ଗୁଣ୍ଡିଚା ମନ୍ଦିର ଖୋଲିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା l