ବଳଙ୍ଗା: ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଦିଲ୍ଲୀରେ ପୀଡିତାଙ୍କ ଶବ ବ୍ୟବଚ୍ଛେଦ କରାଯିବ । ବ୍ୟବଚ୍ଛେଦ ପରେ ଓଡ଼ିଶା ଆସିବ ମରଶରୀର। ସେପଟେ ପୀଡିତାଙ୍କ ମୃତ୍ୟୁ ପରେ ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ। ଗାଁରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିବା ବେଳେ ତାଙ୍କ ଘର ଆଗରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଅଧିକ ପୋଲିସ ମୁତୟନ ହୋଇଛନ୍ତି । ଅନ୍ୟପଟେ ବିରୋଧି ଦଳଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ଆଶଙ୍କା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଛି । ଏଜି ଛକରୁ ଗଭର୍ଣ୍ଣର ଛକ ଯାଏ ପୋଲିସ ବ୍ୟାରିକେଡ଼ କରିବା ସହ ସୁରକ୍ଷାକୁ କଡାକଡି କରିଛି । ଅନ୍ୟପଟେ ଚାରି ଚାରି ଥର ବୟାନ ରେକର୍ଡ ଏତେ ତଦନ୍ତ ପରେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି କ୍ରାଇମବ୍ରାଞ୍ଚ କି ସ୍ପେଶାଲ ପୋଲିସ ଟିମ୍। ପୀଡ଼ିତାଙ୍କ ସାଙ୍ଗ ଓ ପଡ଼ୋଶୀଙ୍କ ସମେତ ୭୦ରୁ ଅଧିକଙ୍କୁ ପଚରାଉଚରା କରିଥିଲା ପୁଲିସ। ୩୦ରୁ ଅଧିକ ମୋବାଇଲ୍ ଟ୍ରାକ୍ କରାଯାଇଥିଲା। ନିଜେ ପୁରୀ ଏସପି ପିନାକ ମିଶ୍ର, କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ବଳଙ୍ଗା ବଜାରରେ ଥିବା ଗହଣା ଦୋକାନୀଙ୍କୁ ପଚରାଉଚରା କରିଥିଲା ପୁଲିସ । ତଥାପି ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି।