ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରି ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଛେଣ୍ଡିପଦା ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ଛେଣ୍ଡିପଦା ପଂଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ଲକର ବିଭିନ୍ନ ଅଂଚଳରୁ ଚାଷି ଛେଣ୍ଡିପଦା ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବାପରେ ପଂଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସୟୁସିଆଇ ଆଞ୍ଚଳିକ କମିଟିର ସଂପାଦକ ନବକିଶୋର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଚାଷୀ ନେତା ସୁବାସ ପ୍ରଧାନ, ସଞ୍ଜୟ ସାହୁ, ପ୍ରମୋଦ ବେହେରା, ମାନସ ପାଳ, ଭରତ ନାଏକ, ପ୍ରତିମା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଚଳିତ ବର୍ଷ ଛେଣ୍ଡିପଦା ବ୍ଲକ ଅଂଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପରିସ୍ଥିତି ଦେଖାଦେଇଛି । ତେଣୁ ଛେଣ୍ଡିପଦା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହିତ ଉତ୍କଟ ମରୁଡ଼ିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ଏସୟୁସିଆଇ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଂଚାୟତ ସମିତିରେ ପ୍ରଦାନ କରଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଚୈତନ୍ୟ ସାହୁ, ଚରଣ ବେହେରା, ସୁକାନ୍ତି ପ୍ରଧାନ, ଗଣେଶ ବେହେରା, ପ୍ରତାପ ସାହୁ, ଲମ୍ବୋଦର ପଣ୍ଡା ପ୍ରମୁଖ ମଧ୍ୟ ଏହି ବିକ୍ଷୋଭରେ ସାମିଲ ଥିଲେ।