ଭୁବନେଶ୍ୱର-: ବାଲେଶ୍ୱର ଫକିର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଡିଏସପି ଇମନ କଲ୍ୟାଣୀ ନାୟକଙ୍କୁ ତଦନ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି ବୋଲି କ୍ରାଇମବ୍ରାଞ୍ଚର ଏଡିଜି ବିନୟତୋଷ ମିଶ୍ର ଆଜି ସୂଚନା ଦେଇଛନ୍ତି। ସହଦେବ ଖୁଣ୍ଟା ଥାନା ପୋଲିସ କରିଥିବା ତଦନ୍ତ ଫାଇଲ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି। ଆଜି ଏକ ଟିମ କଲେଜ ଯାଇ ତଥ୍ୟ ପ୍ରମାଣ ସଂଗ୍ରହ କରିବ। ଏହି ମାମଲାରେ ଦୁଇଜଣିଆ କମିଟି ତଦନ୍ତ କରିବେ । ପୂର୍ବରୁ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ ।
ସେପଟେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଧୈର୍ଯ୍ୟହରା ହୋଇଛନ୍ତି। ଏହାରି ଭିତରେ କିଛି ଅସାମାଜିକ ସୋସିଆଲ୍ ମିଡିଆରେ ସୌମ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଧମକ ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସୌମ୍ୟାଙ୍କ ଭାଇ। ସରକାରଙ୍କ ସହ ଡିଲ୍ କରି ଟଙ୍କା ନେଇ ଆମ ପରିବାର ମୁଣ୍ଡ ବିକ୍ରି କରିଦେଇଛୁ ବୋଲି ସେମାନେ ପ୍ରଚାର କରୁଛନ୍ତି। ଅପପ୍ରଚାରକାରୀମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପାଇଁ ଭୋଗରାଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି ସୌମ୍ୟାଶ୍ରୀଙ୍କ ସାନ ଭାଇ ସୌମ୍ୟରଞ୍ଜନ ବିଶି । ଯଦି ପୋଲିସ ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ସମସ୍ତେ ଆତ୍ମହତ୍ୟା କରିବେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ସୌମ୍ୟାଶ୍ରୀଙ୍କ ଭାଇ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।