(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସବୁ ବାପା ମାଁଙ୍କ ଅନେକ ସ୍ୱପ୍ନ । ଘରେ ପୁଅଟିଏ ଜନ୍ମ ହେବ ଏବଂ ବୃଦ୍ଧକାଳେ ସେମାନଙ୍କୁ ସାହା ହେବ । ହେଲେ ପୁଅ ଜନ୍ମହୋଇ ବଡ ହେଲାପରେ ଯଦି ମାନସିକ ବିକୃତି ହୋଇଯାଏ ଏବଂ ତାକୁ ବନ୍ଦ କୋଠରୀରେ ରଖିବାକୁ ପଡେ ତାହେଲେ ବାପା ମାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଝରଣା ମହାକୁରଙ୍କର । ପାଞ୍ଚ ହେବ ଅନ୍ଧାର କୋଠରୀ ଭିତରେ ବନ୍ଦ ପଡିଛି ଯୁବକ ଜଣକ । ଦିନେ କି ଦୁଇଦିନ ନୁହେଁ ଆଜିକୁ ପାଞ୍ଚ ବର୍ଷ ହେଲା ଏହିଭଳି ଭାବେ କୋଠରୀ ଭିତରେ ବନ୍ଦ ପଡିଛି ଏହି ଯୁବକ । ଏ ଯୁବକ ଜଣକ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାର ପ୍ରିୟାନ୍ସୁ ମହାକୁର । ପ୍ରୀୟାନ୍ସୁକୁ ଏବେ ୨୦ ବର୍ଷ । ଉଲୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲା ପ୍ରିୟାନ୍ସୁ । ସେହି ସମୟରେ ହଠାତ ପ୍ରୀୟାନ୍ସୁର ମାନସିକ ବିକୃତି ଘଟିଲା । ପରିବାର ଲୋକ ବୁର୍ଲାଠୁ ଆରମ୍ଭ କରି ଅନେକ ମେଡିକାଲରେ ଚିକିତ୍ସା କରାଇଲେ । ହେଲେ ଭଲ ହେଲାନାହିଁ ପ୍ରୀୟାନ୍ସୁ । ଏହାରି ଭିତରେ ପାଂଚବର୍ଷ ବିତିଗଲାଣି । ଦିନକୁ ଦିନ ପ୍ରୀୟାନ୍ସୁର ପାଗଳାମୀ ବଢୁଛି ସିନା କମିବାର ନାଁ ଧରୁନାହିଁ । ଏଣୁ ପରିବାର ଲୋକ ପ୍ରୀୟାନ୍ସୁକୁ ଆୟତ କରିନପାରି ଏକ ବନ୍ଦ କୋଠରୀରେ ରଖିବାକୁ ବାଧ୍ୟ ହେଉଛନ୍ତି ।
ବିଧବା ମା ବାର୍ଧକ୍ୟ ଭତା ଏବଂ ରାସନ ଚାଉଳରେ ପରିବାର ତ କଷ୍ଟେମଷ୍ଟେ ଚଳାଇନେଉଛନ୍ତି । କିନ୍ତୁ ପୁଅର ଅଧିକ ଚିକିତ୍ସା ପାଇଁ ଟଙ୍କା ଯୋଗାଡ କରିପାରୁ ନାହଁନ୍ତି । ଏପଟେ ଟଙ୍କା ଅଭାବରୁ ଯୁକ୍ତ ତିନିରେ ପାଠ ପଢୁଥିବା ଝିଅର ପାଠପଢାରେ ବି ଡୋରୀ ବନ୍ଧା ପଡିଛି । ଏଣୁ ସରକାରୀ କିମ୍ବା ବେସରକାରୀ ଭାବେ ସହଯୋଗ ମିଳିଳେ ପ୍ରୀୟାନ୍ସୁକୁ ଭଲ କରିବାର ଆଶା ବାନ୍ଧିଛନ୍ତି ପରିବାର ଲୋକ । ସେପଟେ ଏନେଇ ଖବର ପାଇବା ପରେ ସରକାରୀ ବ୍ୟବସ୍ଥା ଭିତରେ ପ୍ରୀୟାନ୍ସୁର ଚିକିତ୍ସା କରାଇବେ ବୋଲି କହିଛନ୍ତି ଉଲୁଣ୍ଡା ବିଡିଓ ।