(ମମତା ସାମଲ) : ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ନଖରାମି ଦିନକୁଦିନ ବଢିଚାଲିଛି । ଘନିଷ୍ଠ ବନ୍ଧୁ ନିକ୍ ଜୋନସ୍ଙ୍କ ସହ ନିର୍ବନ୍ଧ ହେବା ପରେ ତାଙ୍କ ରଙ୍ଗଢଙ୍ଗ ବଦଳିଯାଇଛି । କେତେକ ହଲିଉଡ ପ୍ରୋଜେକ୍ଟରେ କାମ କରିବା ପରେ ସେ ଏବେ ନିଜକୁ ବିଦେଶୀ ପରୀ ଭାବିବାର ଭ୍ରାନ୍ତ ଧାରଣାରୁ ଖୁବ୍ ଶୀଘ୍ର ବାହାରିଆସିବେ, ଏକଥା ମଧ୍ୟ ଶୁଣାଗଲାଣି। ବଲିଉଡର ନାମୀ ପ୍ରଯୋଜକ ତଥା ନିର୍ଦେଶକ କରନ୍ ଜୋହର୍ଙ୍କ କଫି ଉଇଥ୍ କରନ୍ର ଆଗାମୀ ଅଧ୍ୟାୟର ସୁଟିଂ ଜୋର୍ସୋର୍ରେ ଆରମ୍ଭ ହୋଇଯାଇଛି। ବହୁପୂର୍ବରୁ ଏଥିରେ ଅତିଥି ଭାବେ ଯୋଗଦେବେ ବୋଲି ପ୍ରିୟଙ୍କା ଓ ନିକ୍ ସବୁଜ ସଙ୍କେତ ଦେଇସାରିଥିଲେ, କିନ୍ତୁ ଯଥା ସମୟବେଳକୁ ପ୍ରିୟଙ୍କା କାହାର ଫୋନ୍ ଉଠାଇନଥିଲେ। କରନ୍ ବ୍ୟକ୍ତିଗତ ଭାବେ ଯଥାସାଧ୍ୟ ଚେଷ୍ଟା କରି ବିଫଳ ହୋଇଛନ୍ତି। କରନ୍ଙ୍କ ଟିମ୍ ‘କଫି ଉଇଥ୍ କରନ୍’ର ପ୍ରଚାର ଅଭିଯାନରେ ଲାଗିପଡ଼ିଥିଲାବେଳେ ପ୍ରିୟଙ୍କା-ନିକ୍ଙ୍କ ସମ୍ପର୍କରେ ପଚରାଯିବାରୁ ସେମାନେ ସ୍ପଷ୍ଟ ମନା କରିଥିଲେ। ପ୍ରିୟଙ୍କାଙ୍କ ଏଭଳି ହାବଭାବକୁ ଦେଖି ତାଙ୍କ ନିକଟତମ ଲୋକେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କଲେଣି। କେବଳ ବଲିଉଡ ପାଇଁ ପରିଚିତ ହୋଇଥିବା ଏଇ ସୁନ୍ଦରୀ ହଲିଉଡ ମାୟାରେ ହଜି ପୁଣି ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ବୋଲି ସମୀକ୍ଷକଙ୍କ ମତ।