ନୂଆଦିଲ୍ଲୀ-: ଆଗକୁ ହେବ ବିହାର ବିଧାନସଭା ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ନେତାମାନେ ବିହାର ଯାଇ ନିର୍ବାଚନ ପ୍ରଚାର କରିବା ଆରମ୍ଭ କରିଦେଲେଣି । ତେବେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ମୋତିହାରୀ ଜିଲ୍ଲା ଗସ୍ତ କରି ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ଗାନ୍ଧୀ ମୈଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ତେବେ ତାଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ଥିଲେ ।
ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପୂର୍ବ ଭାରତକୁ ଆଗକୁ ନେବା ପାଇଁ, ଆମକୁ ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ । ଆପଣମାନେ ଏହି ଭୂମିକୁ ଆରଜେଡି ଏବଂ କଂଗ୍ରେସର ଶିକୁଳିରୁ ମୁକ୍ତ କରି ଅସମ୍ଭବକୁ ସମ୍ଭବ କରିଛନ୍ତି । ଏହାର ଫଳସ୍ୱରୂପ, କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ସିଧାସଳଖ ଗରିବଙ୍କ ପାଖରେ ପହଞ୍ଚିପାରୁଛି । ଗତ ୧୧ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦେଶର ଗରିବଙ୍କ ପାଇଁ ୪କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି । ଏଥିମଧ୍ୟରୁ ପ୍ରାୟ ୬୦ଲକ୍ଷ ଘର କେବଳ ବିହାରରେ ନିର୍ମିତ ହୋଇଛି ।”
ସେ ଆହୁରି କହିଥିଲେ ଯେ, “ଆରଜେଡି ଏବଂ କଂଗ୍ରେସର ଶାସନ ସମୟରେ ଗରିବଙ୍କ ପାଇଁ ପକ୍କା ଘର ପାଇବା ଅସମ୍ଭବ ଥିଲା। ହେଲେ ଆଜି ବିହାର ଆଗକୁ ବଢ଼ୁଛି। ଏହା ପଛରେ ସବୁଠାରୁ ବଡ଼ ଶକ୍ତି ହେଉଛି ବିହାରର ମା’ ଏବଂ ଭଉଣୀମାନଙ୍କର । ବିହାରର ମା’ ଏବଂ ଭଉଣୀମାନେ ଏନଡିଏ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତି। ଆଜି, ବିହାରରେ କାମ ଏତେ ଦ୍ରୁତ ଗତିରେ ହେଉଛି କାରଣ କେନ୍ଦ୍ର ଏବଂ ରାଜ୍ୟରେ ବିହାର ପାଇଁ କାମ କରୁଥିବା ସରକାର ରହିଛି।”