ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଏନେଇ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିସାରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈପଦୀ ମୁର୍ମୁ ଓ ମିଳିତ ବିରୋଧୀଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ୧୮ ଜୁଲାଇରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମିଳିତ ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲା। ଯଶୱନ୍ତଙ୍କୁ ୟୁପିଏର ସମସ୍ତ ଅଂଶୀଦାର କଂଗ୍ରେସ, ଏନସିପି, ଡିଏମକେ, ଏସଏଚଏସ, ଆରଜେଡି, ଆରଏସପି ଭଳି ଦଳ ସମର୍ଥନ କରିଥିଲେ। ସେହିପରି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ସମେତ ଅଣଏନଡିଏ ଦଳଙ୍କର ମଧ୍ୟ ସମର୍ଥନ ମିଳିଥିଲା। ଅଣଏନଡିଏ ଦଳ ମଧ୍ୟରେ ବିଜେଡି, ୱାଇଏସଆର, ଶିବସେନା, ବିଏସପି ପ୍ରମୁଖ ସମର୍ଥନ କରିଥିଲେ। ସଂସଦର ଉଭୟ ଗୃହର ସଦସ୍ୟମାନେ ସଂସଦ ଭବନ ପରିସରରେ ଥିବା ବୁଥରେ ଭୋଟ ଦେଇଥିଲେ। ସେହିପରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକମାନେ ନିଜ ରାଜ୍ୟରେ ହୋଇଥିବା ବୁଥରେ ଭୋଟ ଦେଇଥିଲେ। ସାମ୍ବିଧାନିକ ନିୟମ ଅନୁସାରେ ଲୋକସଭା ଓ ରାଜ୍ୟସଭାର ମନୋନୀତ ସଦସ୍ୟ ଓ ବିଧାନ ପରିଷଦର ସଦସ୍ୟମାନେ ଭୋଟଦାନରେ ଅଂଶଗ୍ରହଣ କରିନଥିଲେ। ଗୁରୁବାର କିଏ ନୂଆ ରାଷ୍ଟ୍ରପତି ହେବେ ସେନେଇ ଭୋଟ ଗଣତି ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି।