ରାଷ୍ଟ୍ରପତି ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଲାଗି ୧୫ ଜୁନ ବୁଧବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୨୯ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଜୁନ୍ ୩୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଜୁଲାଇ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଜୁଲାଇ ୧୮ରେ ଭୋଟ ଗ୍ରହଣ ଓ ୨୧ ଜୁଲାଇରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି । ସାଂସଦମାନେ ସଂସଦରେ ଭୋଟ ଦେଇପାରିବେ । ବିଭିନ୍ନ ରାଜ୍ୟର ବିଧାୟକମାନେ ବିଧାନସଭାରେ ଭୋଟ ଦେଇ ପାରିବେ । ଜଣେ ପ୍ରାର୍ଥୀଙ୍କ ଲାଗି ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକ ରହିପାରିବେ ବୋଲି କମିଶନ କହିଛନ୍ତି । ଉଭୟ ସଦନର ୭୭୬ ଜଣ ସାଂସଦ ରହିଛନ୍ତି । ସେମାନଙ୍କର ଭୋଟ ମୂଲ୍ୟ ୫,୪୩,୨୦୦ ରହିଛି । ସେହିପରି ଦେଶରେ ୪,୦୩୩ ଜଣ ବିଧାୟକ ରହିଛନ୍ତି । ସେମାନଙ୍କର ଭୋଟର ମୂଲ୍ୟ ୫,୪୩, ୨୩୧ ରହିଛି । ଏମାନେ ସମସ୍ତେ ଅନୁଷ୍ଠିତ ନିର୍ବାଚନରେ ଅଂଶଗ୍ରହଣ କରିବେ । ତେବେ ଦେଶର ଆଞ୍ଚଳିକ ଦଳ ବିଜେଡି, ଓଆଇଏସ୍ଆର କଂଗ୍ରେସ, ତୃଣମୂଳ କଂଗ୍ରେସ ମୁଖ୍ୟ ଭୂମିକା ନେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।