ଆଜି ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା
ଭୁବନେଶ୍ବର : ଆଜି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ଏହି ଦିନ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଜନ୍ମ ନେଇଥିଲା। ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଭାରତ ମାନଚିତ୍ରରେ ଆଙ୍କି ହୋଇଥିଲା ଜଗନ୍ନାଥ ସଂସ୍କୃତିର ଏହି ଭୂମି।
ଓଡ଼ିଆମାନଙ୍କର ଏହି ଗୌରବର ଦିନ ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳ ନେତା। ଏଥି ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଓଡ଼ିଶା ଦିବସ ଅବସରରେ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ ଏବଂ ଅବଦାନକୁ ମନେପକାଇବାର ଦିନ । ଓଡ଼ିଶାବାସୀ ଓଡ଼ିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି । ଭାରତୀୟ ସ୍ୱାଧୀନତାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଭାରତର ଅନେକ ବିନ୍ଧାଣିଙ୍କୁ ଓଡ଼ିଶା ରାଜ୍ୟ ଜନ୍ମ ଦେଇଛି । ଓଡ଼ିଶାର ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି । ‘ଓଡ଼ିଶା ଦିବସ’ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ। ଓଡ଼ିଶାର ଇତିହାସ, ସାହିତ୍ୟ ଓ ସଂଗୀତକୁ ନେଇ ଗର୍ବିତ । ଓଡ଼ିଶାବାସୀ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।