ଭୁବନେଶ୍ଵର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ଭୁବନେଶ୍ବର ଏମ୍ସର ସମାବର୍ତ୍ତନ ସମାରୋହରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅପରାହ୍ଣରେ ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ ସଂନ୍ଧ୍ୟାରେ ଭୁବନେଶ୍ୱର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ, ଜୁଲାଇ ୧୫ରେ, ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତି ଜୁଲାଇ ୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା ଜାରି କରାଯାଇଛି । ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା । ସେହିପରି ଏୟାରପୋର୍ଟ ଛକ, କ୍ୟାପିଟାଲ୍ ହସ୍ପିଟାଲ, ଏଜି ଛକ ରାସ୍ତା ବନ୍ଦ ରହିବ । ରାଜଭବନ ଛକ, ପାୱାର ହାସ୍ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ । ୧୨୦ ବିଏନ୍ ଛକ, ଶାସ୍ତ୍ରୀନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ । ଜୟଦେବ ବିହାର ଛକରୁ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ବନ୍ଦ ରହିବ । ସେହିପରି ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍, କସମୋପଲିସ ଛକ, ଏମ୍ସ ଅଣ୍ଡର ପାସ୍ ରାସ୍ତା ବନ୍ଦ ରହିବ । ସନ୍ଧ୍ୟା ୬.୩୦ରୁ ୭.୦୫ ଯାଏଁ ରହିବ ଟ୍ରାଫିକ କଟକଣା ।