ଭୁବନେଶ୍ଵର: ରାଷ୍ଟ୍ରପତିଙ୍କ ଭୁବନେଶ୍ବର ଗସ୍ତ ନେଇ କମିଶନରେଟ୍ ପୋଲିସର ପ୍ରସ୍ତୁତି । ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ । ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା । ଆସନ୍ତାକାଲି କମିଶରନରେଟ୍ ପୋଲିସ ପକ୍ଷରୁ କାର୍କେଡ୍ ରିହର୍ସଲ୍ ହେବ । ଆସନ୍ତା ୧୪ରେ AIIMS ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ଆସନ୍ତା ଜୁଲାଇ ୧୪ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଜୁଲାଇ ୧୪ ସଂନ୍ଧ୍ୟାରେ ଭୁବନେଶ୍ୱର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ପରଦିନ, ଜୁଲାଇ ୧୫ରେ, ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତି ଜୁଲାଇ ୧୫ ତାରିଖରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନ ଧରି ଭୁବନେଶ୍ୱର ସମେତ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜୁଲାଇ ୧୫ ତାରିଖ ସଂଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।