ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ୨୦୨୬ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ ଏପ୍ରିଲ ମାସରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି, ଯାହା ମଧ୍ୟରୁ ଓଡ଼ିଶାର ୪ଟି ଆସନ ଅନ୍ତର୍ଭୁକ୍ତ। ଏନେଇ ଜାତୀୟ ନିର୍ବାଚନ କମିଶନ (ECI) ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ECI ସଚିବ ସୁମନ କୁମାର ଦାସ ୧୦ଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ମାନଙ୍କୁ ଚିଠି ଲେଖି ରାଜ୍ୟସଭା ନିର୍ବାଚନ ପାଇଁ ଆବଶ୍ୟକ ପ୍ରସ୍ତୁତି ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚିଠିରେ ରିଟର୍ଣ୍ଣିଂ ଅଫିସର (RO), ସହାୟକ ରିଟର୍ଣ୍ଣିଂ ଅଫିସର (ARO), ଭୋଟ ଗ୍ରହଣ ସ୍ଥାନ ଓ ବାଲଟ ବକ୍ସ ସମ୍ପର୍କିତ ବିସ୍ତୃତ ସୂଚନା ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ବିଧାନସଭାଠାରୁ ତଥ୍ୟ ସଂଗ୍ରହ କରି ସମ୍ପୂର୍ଣ୍ଣ ରିପୋର୍ଟ ECIକୁ ପଠାଇ ସାରିଛନ୍ତି। ଏହାକୁ ଆଧାର କରି ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ନେବାକୁ ଯାଉଛି।
ECI ପକ୍ଷରୁ ଜଣାପଡ଼ିଛି ଯେ, ଓଡ଼ିଶାର ୪ଟି ଆସନ, ମହାରାଷ୍ଟ୍ରର ୭ଟି, ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫ଟି, ବିହାରର ୫ଟି, ଆସାମର ୩ଟି, ତେଲେଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି, ହିମାଚଳ ପ୍ରଦେଶର ୧ଟି ଆସନ ପାଇଁ ନିର୍ବାଚନ ହେବ । ନିର୍ବାଚନ ପ୍ରକ୍ରିୟା ସୁଚାରୁ ଭାବେ ଚାଲାଇବା ପାଇଁ RO ଓ ARO ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ, ସେମାନଙ୍କର ମୋବାଇଲ ନମ୍ବର, ଟେଲିଫୋନ, ଫ୍ୟାକ୍ସ ଓ ଇମେଲ ଆଇଡି ସହ ପଠାଇବାକୁ କୁହାଯାଇଛି। ସେହିପରି ଭୋଟ ଗ୍ରହଣ ସ୍ଥାନ ଓ ବ୍ୟବହୃତ ବାଲଟ ବକ୍ସର ପ୍ରକାର ବିଷୟରେ ମଧ୍ୟ ସୂଚନା ଦେବାକୁ ନିର୍ଦ୍ଦେଶ ମିଳିଛି। ଓଡ଼ିଶା ସହ ସମସ୍ତ ସଂପୃକ୍ତ ରାଜ୍ୟର CEOମାନଙ୍କୁ ତୁରନ୍ତ ରିପୋର୍ଟ ପଠାଇବାକୁ କୁହାଯାଇଥିବାରୁ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି।