କନ୍ଧମାଳ:- କନ୍ଧମାଳ ଜିଲ୍ଲା ରେ ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ ସେବା। କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଥିବା ହେତୁ ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଭରା ନଦୀରେ ବିପଦଶଙ୍କୁଳ ଭାବେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର ରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଂଚାୟତର ଗୁଡରୀ ପଡ଼ି ଗାଁ କୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ପକ୍କା ରାସ୍ତା ଏବଂ ପୋଲ ନିର୍ମାଣ ହୋଇପାରି ନାହିଁ । ଯାହାଫଳରେ ଗୁଡ଼ରୀପଡ଼ି ମୁରଡ଼ି ଗ୍ରାମର ନନ୍ଦିନୀ ପ୍ରଧାନ (୨୬) ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲେ କିନ୍ତୁ ଗାଁ କୁ ଗାଡ଼ି ଯାଇ ପାରିବ ନାହିଁ ବୋଲି ଆମ୍ବୁଲାନ୍ସ ଗାଡ଼ି ଚାଳକ ରୋକ ଠୋକ ମନା କରିଥିଲେ । ଅନ୍ୟ ଉପାୟ କିଛି ନ ପାଇ ଗ୍ରାମବାସୀଙ୍କ ସହାୟତାରେ ଭରା ନଦୀରେ ଆମ୍ବୁଲାନ୍ସ ଗାଡ଼ି ର ଷ୍ଟ୍ରେଚର ରେ ଭାର କରି ନନ୍ଦିନୀଙ୍କୁ ଆମ୍ବୁଲାନ୍ସ ନିକଟ ରେ ପହଞ୍ଚାଇ ଥିଲେ । ତେବେ ନନ୍ଦିନୀଙ୍କ ଚିକତ୍ସା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ହେଉଥିବା ବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି ।