ଗଞ୍ଜାମ(ହରପ୍ରସାଦ ବିଶୋଇ):- ନାରୀ ହେଉଛି ସମାଜର ଏକ ଭିନ୍ନ ଅଙ୍ଗ । ସେ ଜନନୀ, ଭଗିନୀ, ଓ ଜୟା ରୂପରେ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ସୁଚାର ରୂପେ ତୁଲାଇ ଥାଏ । ଅତୀତରେ ନାରୀକୁ ଅବଳା ଦୁର୍ବଳା କହି ଉପେକ୍ଷା କରାଯାଉଥିବା ବେଳେ ସମ୍ପ୍ରତି ନାରୀ ସେହି ପରିଭାଷାକୁ ବଦଳାଇଛି । ସେଭଳି ଏକ ନାରୀ ଏକ ଅନନ୍ୟ ସ୍ଥାନ ଅଳଙ୍କୃତ କରିଛନ୍ତି । ସେ ହେଉଛନ୍ତି ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ୧୯୬୧ ମସିହାରେ ସ୍ଥାପିତ ହୋଇଥିବା ବେଳେ ବ୍ଲକରେ ପ୍ରଥମ ବିଡିଓ ଭାବେ ଏନ ଏନ ବବର୍ତ୍ତ ୧୯୬୧ ମସିହାରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ବର୍ଷ ଠାରୁ ବେଗୁନିଆପଡା ବ୍ଲକ ରେ ପ୍ରାୟ ୬୦ ଜଣ ବିଡିଓ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ବେଗୁନିଆପଡା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିନଥିଲେ ।
ବ୍ଲକ ସ୍ଥାପିତ ହେବା ଠାରୁ ପ୍ରାୟ ୬୧ ବର୍ଷର ଇତିହାସ ଭିତରେ ବର୍ତମାନର ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ହେଉଛନ୍ତି, ପ୍ରଥମ ମହିଳା ଓଏସ ଅଧିକାରୀ ଯିଏକି ବେଗୁନିଆପଡା ବ୍ଲକରେ ପ୍ରଥମ ମହିଳା ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିପାଇଁ ମଧ୍ୟ ବେଗୁନିଆପଡା ବ୍ଲକ ଇତିହାସ ସମୃଦ୍ଧ ହୋଇଛି । ଆଉ ବେଗୁନିଆପଡା ବ୍ଲକର ପ୍ରଥମ ମହିଳା ବିଡିଓ ଭାବେ ଇତିହାସରେ ସର୍ବଦା ପାଇଁ ନିଜ ସ୍ଥାନକୁ ସ୍ଥାପିତ କରିଛନ୍ତି । ଏହାରି ଭିତରେ ଅନେକ ନିର୍ବାଚନ ବି ଯାଇଛି ଆଉ କିଛି ଦିନ ହେବ ସରିଛି ପଞ୍ଚାୟତ ନିର୍ବାଚନ । ବେଗୁନିଆପଡା ବ୍ଲକବି ଦେଖିଛି ସଫଳ ତ୍ରୀସ୍ତରୀ ନିର୍ବାଚନ ପରିଚାଳନା ।
ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶୀନି ହେଉଛନ୍ତି ୨୦୧୮ କ୍ୟାଡରର ଓଏସ ଅଫିସର । ଟ୍ରେନିଂ ରିଜର୍ଭ ଅଫିସର ,ପରେ ଗଞ୍ଜାମ ବେଗୁନିଆପଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରି । ପ୍ରଜ୍ଞା ପ୍ରିୟଦର୍ଶୀନି ଭୁବନେଶ୍ୱର ଓୟୁଏଟି ରୁ ବିଏସସି ହୋମ ସାଇନ୍ସ ଶେଷ କଲେ ପ୍ରଜ୍ଞା ସ୍ବପ୍ନକୁ ପୂରଣ କରିବାର ଜୁନୁନ ତାଙ୍କୁ ଟାଣି ଆଣିଲା ପ୍ରଶାସନିକ କାର୍ଯ୍ୟରେ ଯୋଗଦେବା ପାଇଁ । ୨୦୧୮ କ୍ୟାଡର ର ଓଏସ ପ୍ରଜ୍ଞା ପ୍ରିୟଦର୍ଶୀନି ନଭେମ୍ବର ମାସ ୧ ତାରିଖ ୨୦୨୧ ମସିହାରେ ବେଗୁନିଆପଡା ବ୍ଲକର ପ୍ରଥମ ମହିଳା ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।