ମାଓବାଦୀଙ୍କୁ ଧରିବା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ଯାଇ କରାଗଲା ପୋଷ୍ଟର

ବୌଦ୍ଧ:- ପୋଲିସର ସମସ୍ତ ପ୍ରୟାସ ସତ୍ୱେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓ ମୁକ୍ତ ହୋଇ ପାରିନାହିଁ। ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା କିଛି କିଛି ଘଟଣା ଓ ଉପସ୍ଥିତି ମଧ୍ୟ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନେକ ମାଓବାଦୀ ଏନକାଉଣ୍ଟରର ଶୀକାର ମଧ୍ୟ ହୋଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲ୍ଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।

ଏଭଳି ସ୍ଥିତିରେ ମାଓ ବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟ ମାନଙ୍କୁ ମୂଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୋଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ, ବିଶେଷ କରି ମାଓ ପ୍ରଭାବିତ ଫିରିଙ୍ଗିଆ ଓ ଗୋଚ୍ଛାପଡା ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦିଆଯାଇଛି ।  ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ  ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସଚେତନତା ପୋଷ୍ଟର ଲଗାଯାଇଛି । ଓଡ଼ିଆ ସହିତ ଆଦିବାସୀ ଭାଷାରେ ଏହି ପୋଷ୍ଟର ମରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ବିଭିନ୍ନ ମାଓ ନେତା ଓ ସକ୍ରିୟ ସଦସ୍ୟ ଙ୍କ ଫଟୋ ସହିତ ସେମାନଙ୍କ ଉପରେ ଥିବା ପୁରସ୍କାର ରାଶି ଉଲ୍ଲେଖ ରହିଛି । ଅନ୍ୟପଟେ, ଯେଉଁ ଲୋକ ମାଓବାଦୀ ଙ୍କ ସଠିକ ସୂଚନା ଦେବେ, ସେମାନଙ୍କ ନାମ ଗୁପ୍ତ ରଖି ପୁରସ୍କାର ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି ।