ତିର୍ତ୍ତୋଲରେ ବଢୁଛି ରାଜନୀତି ଉଷ୍ମତା

(ଦିଲ୍ଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ମାହଲ ସରଗରମ ହେଉଛି । ଶାସକ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଚାରକୁ ନେଇ ପ୍ରତିଦ୍ୱନ୍ଦିତା ଜୋରସୋରରେ ଚାଲିଛି । ତିର୍ତ୍ତୋଲ ଉପନିର୍ବାଚନୀ ତାତି ଧିରେ ଧିରେ ବଢିବାରେ ଲାଗିଛି । ଶାସକ ବିଜୁଜନତା ଦଳ ମାଳମାଳ ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ମିଶ୍ରଣ ପର୍ବ କରିବା ସହ ଗାଁ ଗାଁ,ଘରଘର ବୁଲି ପ୍ରଚାର କରୁଥିବା ବେଳେ ଆଜି କଂଗ୍ରେସ ଦଳ ମଧ୍ୟ ଜାତୀୟ ଓ ରାଜ୍ୟସ୍ତରୀୟ ଦଳୀୟ ଷ୍ଟାର ପ୍ରଚାରକଙ୍କୁ ନିର୍ବାଚନ ମଇଦାନକୁ ପ୍ରଚାର ପାଇଁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଡିଜିଟାଲ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା’ଶାରଳାଙ୍କ ପିଠ ସମେତ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରେ ରୋଡ ସୋ କରି ବିଜେପି ବିଧାୟକ ପ୍ରାର୍ଥୀ ରାଜକିଶୋର ବେହେରା ନିର୍ବାଚନ ପ୍ରଚାର କରିବା ସହ ତିର୍ତ୍ତୋଲ ଆନନ୍ଦ ମଣ୍ଡପ ଠାରେ ଆୟୋଜିତ ଦଳୀୟ ଡିଜିଟାଲ ପ୍ରଚାର କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ଥାନୀୟ ସମାସ୍ୟାକୁ ପ୍ରସଙ୍ଗ କରି ଘରଘର ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କ ସମର୍ଥନ ମିଳିବ ବୋଲି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମତବ୍ୟକ୍ତ କରିଥିବା ବେଳେ ଦଳୀୟ ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଭାରତୀୟ ଜନତା ପାର୍ଟିର ବିକାଶ ହେଉଛି ମୁଖ୍ୟ ମୁଦ୍ଦା।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିଜିଟାଲ ପ୍ରଚାର କରିଥିଲେ । ଦଳୀୟ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ୱରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ସମେତ ବହୁନେତା ଆନନ୍ଦ ମଣ୍ଡପରେ ଉପସ୍ଥିତ ଥିଲେ । ଭାରତୀୟ ଜନତା ପାର୍ଟି ଗତ ନିର୍ବାଚନରେ ଦିତୀୟ ସ୍ଥାନରେ ଥିବା ବେଳେ ଚଳିତ ଉପନିର୍ବାଚନରେ ବିଜୟ ହାସଲ କରିବ ବୋଲି ଦୃଢୋକ୍ତି ବାନ୍ଧିଛି ବିଜେପି । ବିଜୁଜନତା ଦଳ ଦିର୍ଘ୨୧ବର୍ଷ ଶାସନ କାଳରେ ଏ ଅଞ୍ଚଳର କୋୖଣସି ବିକାଶ କାର୍ୟ୍ୟ କରିନାହିଁ । ରାସ୍ତାଘାଟ, ଜଳସେଚନ, ପାନୀୟ ଜଳ ପରି ବିଭିନ୍ନ ସମାସ୍ୟା ଥିବା ବେଳେ ଏଠାରେ ବିଜୁଜନତା ଦଳର ଛାମୁଆଁଙ୍କ ଦ୍ୱାରା ଲୁଟତରାଜ ଚାଲିଛି । ଜମି ମାଫିଆ ଓ ବାଲିଚୋରା ଚାଲାଣ ଆଦି ଅପରାଧିକ କାର୍ୟ୍ୟକଳାପ ବଢି ଚାଲିଥିବାରୁ ଲୋକେ ଅତିଷ୍ଟ ହେଲେଣି । ବିଜେପି କେବଳ ବିକାଶ କଥା କହୁଛି । ଏଥର ଲୋକେ ଭାରତୀୟ ଜନତା ପାର୍ଟି ସାଙ୍ଗରେ ରହିବେ ବୋଲି ନେତା ଭୃଗୁ ବକ୍ସିପାତ୍ର କହିଥିଲେ।
ଶାସକ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ବେଳେ ଆଗକୁ କାହା ପଲ୍ଲା ଭାରି ହେଉଛି ଦେଖିବାକୁ ବାକି ରହିଲା।