ଓଡିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ରୋମାଞ୍ଚ ବଢ଼ିଛି । ବିଜେଡି ଓ କଂଗ୍ରେସ ମିଳିତ ଭାବେ ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଘୋଷଣା କରିଥିବା ବେଳେ ଚତୁର୍ଥ ଆସନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ନାମ ଘୋଷଣା ହୋଇଛି । ଦିଲ୍ଲୀପ ରାୟ ଓଡିଶା ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ । ଏକ ସମୟରେ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ଗଣନୀୟ ଥିଲେ । ରାଜନୀତିରେ ସେ ସମସ୍ତ ଦଳ ସହ ସମ୍ପର୍କ ରଖିପାରୁଥିବା ନେତା ଭାବେ ଗଣା ହୁଅନ୍ତି । ଦଳ ଭିତରେ ହେଉ କି ବିପକ୍ଷ ଶିବିରରେ, ପ୍ରାୟ ସମସ୍ତ ରାଜନୈତିକ ଶିବିରରେ ତାଙ୍କର ସଂପର୍କ ଓ ମିତ୍ରତା ରହିଆସିଛି । ଯାହା ପରସ୍ପର ସ୍ୱାର୍ଥ ଓ ରାଜନୈତିକ ସମୀକରଣ ଉପରେ ଆଧାରିତ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ବହୁଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିଲୀପ ରାୟ ରାଜ୍ୟରେ ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ଭାବେ କାମ କରିଥିଲେ । କେନ୍ଦ୍ର ସରକାରରେ ସେ କୋଇଲା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର) ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।l̥