ଶ୍ରୀନଗର(ରିପୋର୍ଟର୍ସ ଟୁଡେ): ସକାଳୁ ସକାଳୁ ଜମ୍ମୁ-କଶ୍ମୀରର ପୁଲୱାମାରେ ଦେଶର ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଦୀର୍ଘ ଦିନରୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାରେ ଆଜି ବାଜିମାତ କରିଛି ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲଶ୍କର-ଏ-ତୋଇବାର କମାଣ୍ଡର ଏଜାଜ ଓରଫ ଆବୁ ହୁରାଇରା ବ୍ୟତୀତ ସ୍ଥାନୀୟ ଅଞ୍ଚଳର ଆଉ ଦୁଇ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି ।
ପୁଲୱାମାରେ କିଛି ଆତଙ୍କ ବାଦୀ ଲୁଚି ରହିଥିବା ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଖବର ପାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଜମ୍ମୁ କଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗୃପ ଏବଂ ସିଆରପିଏଫ ମିଳିତ ଭାବରେ ପୁଲୱାମା ସହରକୁ କର୍ଡନ କରିଦେଇଥିଲେ । ପ୍ରଥମେ ସ୍ଥାନୀୟ ଲୋକମାନଙ୍କୁ ସ୍ଥାନାନ୍ତରଣ କରିବା ପରେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ । ଜବାବରେ ସୁରକ୍ଷାକର୍ମୀଙ୍କ ତରଫରୁ ମଧ୍ୟ ଆରମ୍ଭ ହୋଇଥିଲା ଏନକାଉଣ୍ଟର । ଏଥିରେ ଲସ୍କର-ଏ-ତୋଇବାର ଆବୁ ହୁରାଇରା ଏବଂ ସ୍ଥାନୀୟ ଅଞ୍ଚଳର ଅନ୍ୟ ଦୁଇ ଆତଙ୍କବାଦୀଙ୍କୁ ଢେର କରିଛି ସୁରକ୍ଷାବାହିନୀ । ଆତଙ୍କବାଦୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଏ ନେଇ କାଶ୍ମୀର ଜୋନର ଆଇଜି ସୂଚନା ଦେଇଛନ୍ତି ।