ଧମକ ପରେ ଭାଇଜାନଙ୍କୁ କଡା ସୁରକ୍ଷା

ମୁମ୍ବାଇ : ସଲମାନ୍ ଖାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ଏବେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ଧମକ ପରେ ବଢ଼ିଲା ଭାଇଜାନଙ୍କ ସୁରକ୍ଷା । ଆଜି ସକାଳୁ ସଲମାନଙ୍କ ଗାଲେକ୍ସି ଆପାର୍ଟମେଂଟରେ ପହଞ୍ଚି ମୁମ୍ବାଇ ପୁଲିସ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ବି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲା । କିନ୍ତୁ ଶେଷ ସମୟରେ ଫେଲ ମାରିଥିଲା ସବୁ ପ୍ଳାନ୍ । ତେବେ ଯୋଜନା କିପରି ବିଫଳ ହେଲା ପୋଲିସ ଆଗରେ ଏହାର ପୁରା କାହାଣୀ ବଖାଣିଛି ଲରେନ୍ସ । ପୂର୍ବରୁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ମିଳିଥିଲା ଧମକ । ତେବେ ଗତ ରବିବାର ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ପଠାଯାଇଛି ଧମକପୂର୍ଣ୍ଣ ଚିଠି । ସଲିମାନ ଖାନ୍ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ବେଳେ ପାଇଥିଲେ ଏହି ଚିଠି । ପୋଲିସ ଆଇପିସି ଧାରା ୫୦୬ ଆଧାରରେ କେସ୍ ଦାଏର କରିବା ସହ ସଲିମ ଖାନଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।

ତେବେ କିଏ ଓ କାହିଁକି ଏଭଳି ଚିଠି କରିଥିବା ସ୍ପଷ୍ଟ ହୋଇ ନ ଥିବା ବେଳେ , ଚିଠି ପଠାଇବା ପଛରେ ଅଣ୍ଡରୱାର୍ଲଡ ଗ୍ୟାଙ୍ଗର ର ହାତ ରହିଥିବା ସନ୍ଦେହ କରାଯାଉଛି । ଘଟଣା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀର ହାତ ଥିବା ସନ୍ଦେହ କରାଯାଉଛି । ଲେରେନ୍ସ ଉପରେ ଅଧିକ ସନ୍ଦେହ କରିବାର କାରଣ ହେଉଛି, ୨୦୧୮ ମସିହାରେ ସଲମାନଙ୍କୁ ଖୁଲ୍ଲମଖୁଲା ହତ୍ୟା ଧମକ ଦେଇଥିଲା ଲରେନ୍ସ ବିଷ୍ଣୋୟୀ । କାରଣ ଏକ ଫିଲ୍ମ ସୁଟିଙ୍ଗ ସମୟରେ କୃଷ୍ଣ ମୃଗକୁ ମାରିବା ଅଭିଯୋଗରେ ସଲମାନ୍ ଛନ୍ଦି ହେବା ପରେ ଏହି ଘଟଣାକୁ ନେଇ ଲରେନ୍ସ ସଲମାନ ଖାନଙ୍କ ଉପରେ ରାଗ ରଖିଥିଲା । କାରଣ ଲରେନ୍ସ ଯେଉଁ ସମ୍ପ୍ରଦାୟରୁ ଆସିଛି ସେଠାରେ ଲୋକେ କଳା ମୃଗକୁ ପବିତ୍ର ବୋଲି ମନେକରନ୍ତି । ତେବେ ବର୍ତ୍ତମାନ ଲରେନ୍ସ ତିହାର ଜେଲରେ ବନ୍ଦୀ ଅଛି । ହେଲେ ସେଠାରୁ ସେ ହ୍ୱାଟ୍ସଆପ୍ ଜରିଆରେ ସୁପାରୀ ନେଇ ହତ୍ୟା ଷଡଯନ୍ତ୍ର କରିଥାଏ ଓ ପରେ ଫେସବୁକ ଜରିଆରେ ନିଜ ଦୋଷ ସ୍ୱୀକାର କରିଥାଏ । ଲରେନ୍ସର ଜେଲରେ ଥିଲେ ବି ତାର ଚେର ବହୁ ଦୁରକୁ ଲମ୍ବିଛି । ନେଟୱର୍କ ପୁରା ଦେଶରେ ଛାଇ ହୋଇ ରହିଛି, ଯେଉଁଥିରେ ୭୦୦ରୁ ଅଧିକ ଗ୍ୟାଙ୍ଗଷ୍ଟର କାମ କରୁଥିବା ଜଣାପଡିଛି । ତେବେ ପୁଣି ସେହି ଗ୍ୟାଙ୍ଗ ହିଁ ଏଭଳି କରୁଥିବା ପୋଲିସ ସନ୍ଦେହ କରୁଛି । ଏଣୁ ସୁପର ଷ୍ଟାର ସଲମାନଙ୍କୁ କଡ଼ା ସୁରକ୍ଷା ଦେବାକୁ ନିର୍ଦେଶ ଦେଇଛି ମୁମ୍ବାଇ ପୋଲିସ