ନିଖୋଜ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ

ଖୋର୍ଦ୍ଧା: ଦୁଇ ଦିନ ଧରି ନିଖୋଜ ଥିବା ମହିଳାଙ୍କୁ ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ଅଞ୍ଚଳରେ । କୁଣ୍ଡିଲୋ ଗ୍ରାମର ଯୁବତୀ ଧଳାପଥର ଅଞ୍ଚଳର ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୯ ମାସ ପରେ ଯୁବକ ଜଣଙ୍କ ପୂର୍ବରୁ ଅନ୍ୟ ଜଣେ ଝିଅକୁ ବିବାହ କରିଥିବା ତାଙ୍କ ସ୍ତ୍ରୀ ଜାଣିପାରିଥିଲେ । ପରେ ଯୁବକ ଜଣଙ୍କ ପତ୍ନୀଙ୍କୁ ମାରଧର କରି ଗତ ମଙ୍ଗଳବାର ଥଣ୍ଡା ପାନୀୟରେ ନିଶା ଦେଇ ଘରୁ କେଉଁଆଡେ ନେଇଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ଏନେଇ ବାପଘର ଲୋକ ଧଳାପଥର ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ଫାଣ୍ଡି ପୋଲିସ ଘଟଣାକୁ ଗୁରୁତ୍ୱ ନଦେଇ ବେଗୁନିଆ ଥାନାକୁ ପଠାଇଥିଲେ । ପୋଲିସ ନିଖୋଜ ମାମଲା ରୁଜୁ କରି ଚୁପ୍ ବସିଥିବା ଅଭିଯୋଗ ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଖବର ପାଇ ନିଖୋଜ ମହିଳାଙ୍କୁ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ନିକଟ ଜଙ୍ଗଲରୁ ପୋଲିସ ସାହାଯ୍ୟରେ ଉଦ୍ଧାର କରିଛନ୍ତି ପରିବାର ଲୋକ । ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା ଓ ତାଙ୍କ ପରିବାର ।