ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା କାଳିଆକଟା ଗାଁ ନିକଟରୁ ଜଣେ ନିଖୋଜ ଯୁବକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଚନ୍ତି କାଳିଆକଟା ଗ୍ରାମର ଡିଲେଶ୍ୱର ପ୍ରଧାନ ।
ମିଳିଥିବା ସୂଚନା ମୁତାବକ, ନିଶା ଥାନା ଅଧିନସ୍ଥ କାଳିଆକଟା ଗ୍ରାମ ଗଞ୍ଜିଆସାହିର ଡିଲେଶ୍ୱର ପ୍ରଧାନ ସୋମବାର ଜଣେ ସମ୍ପର୍କିୟଙ୍କୁ ଛାଡିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ପର୍ୟ୍ୟନ୍ତ ଡିଲେଶ୍ଵର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ଖବର ପାଇ ନଥିଲେ । ତେଣୁ ନିଶା ଥାନାରେ ଡିଲେଶ୍ଵରଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକ । ତେବେ ଗତକାଲି କାଳିଆକଟା ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଗାଡିଆରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଗ୍ରାମର କଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଆରେ ଭାସୁଥିବା ଶବକୁ ଜବତ କରିଥିଲେ । ଉଦ୍ଧାର ପରେ ଡିଲେଶ୍ଵରଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା । ତେବେ ସେଠାକାର ପରିସ୍ଥିତି ଦେଖିବା ଏହା ସ୍ୱାଭାବିକ ମୃତ୍ୟୁ ନା ଡିଲେଶ୍ଵରଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ତେବେ ପ୍ରକୃତ ଘଟଣା ସଠିକ ତଦନ୍ତ ପରେ ହିଁ ଜଣା ପଡିବ ।