ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର:- ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କଲା ପୋଲିସ । ପ୍ରମୋଦ ବେହେରାକୁ ଚେନ୍ନାଇରୁ ସ୍ବତନ୍ତ୍ର ପୋଲିସ ଟିମ ଗିରଫ କରି ପଟ୍ଟାମୁଣ୍ଡାଇ ଆଣିଥିଲା । ପ୍ରମୋଦର ମୋବାଇଲରୁ ଅଶ୍ଳୀଳ ଫଟୋ ଓ ଭିଡିଓ ଜବତ କରିଛି ପୋଲିସ ।

ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି, ଜୁଲାଇ ୧୭ ତାରିଖରେ ତାଙ୍କ ଝିଅର ଏକ ଅଶ୍ଳୀଳ ଭିଡିଓ ତାଙ୍କ ପାଖକୁ ପଠାଇଥିଲା ପ୍ରମୋଦ ।  ଆଉ ଝିଅକୁ ବ୍ଲାକମେଲ କରି ପ୍ରମୋଦ ମାନସିକ ଚାପରେ ରଖିଥିଲା । ଅନ୍ୟପଟେ ଯୁବକର ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ଝିଅକୁ ତାଙ୍କ ପରିବାର ଲୋକେ ମାରିଦେଇ ଅଯଥାରେ ଆମ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ସେ ଆରୋପ କରିଥିଲେ।

ତେବେ ଉଭୟ ପକ୍ଷର ଅଭିଯୋଗକୁ ପୋଲିସ ଗୁରୁତର ସହ ନେଇ ତଦନ୍ତ କରୁଛି । ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସେଥିନେଇ ପୋଲିସର ସନ୍ଦେହ ବଢୁଛି । ଯୁବତୀ ନିଜେ ଆତ୍ମଦାହ କରିଛନ୍ତି ନା’ ତାଙ୍କୁ ପୋଡ଼ି ଦିଆଯାଇଛି ସେଥିନେଇ ତଦନ୍ତକାରୀ ଦଳ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି । ଶନିବାର ପୋଲିସ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଆଣି ଘନଘନ ପଚରାଉଚରା କରିଛି । କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଛାତ୍ରୀର ବାପାଙ୍କୁ ଜେରା କରିଛୁ । ଖୁବଶୀଘ୍ର ଏହି ରହସ୍ୟ ଉପରୁ ପରଦା ହଟିବ।