ଚାନ୍ଦବାଲି ଦାଖା ହାଇସ୍କୁଲରେ ପିଏମ୍‌ଶ୍ରୀ ଉତ୍ସବ ପାଳିତ

ଚାନ୍ଦବାଲି ଏନଏସି ଅନ୍ତର୍ଗତ ଦାଖା ହାଇସ୍କୁଲ ପରିସରରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶାନ୍ତନୁ କୁମ୍ଭକାରଙ୍କ ଆବାହକତ୍ୱରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକମଣ୍ଡଳୀ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ମହତ୍ତ୍ଵପୂର୍ଣ କରିଥିଲା । ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ କୁମ୍ଭକାର ପିଏମଶ୍ରୀ ଉତ୍ସବ ଯୋଜନାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ସେହିପରି ନୂତନ ଶିକ୍ଷା ପ୍ରଣାଳୀ, ଆଧୁନିକ ଢାଞ୍ଚା, କ୍ଲବ କାର୍ଯ୍ୟାବଳି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ମାଧ୍ୟମରେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କୁ ଉନ୍ନତିର ଶିଖରରେ ପହଞ୍ଚାଇବା ଏହି ଯୋଜନାର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନୀ ଓ ଖାଦ୍ୟ ହାଟ ଖୋଲାଯାଇଥିଲା । ପିଲାମାନେ ସେହି ସ୍ଥାନରେ ଖାଦ୍ୟ ତିଆରି କରି ବିକ୍ରି କରିଥିଲେ । ଖାଦ୍ୟ ବଜାରରେ ୧୮ଟି ଷ୍ଟଲ ଲାଗିଥିଲା। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଶିକ୍ଷା, କ୍ରୀଡ଼ା, ବ୍ୟବସାୟ ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।