ଓଡିଶା ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ଆଦର୍ଶ ରାଉତ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସକାଳ ୮ଟା ୫୫ ମିନିଟରେ ପ୍ରଧାନମନ୍ତ୍ରୀ ଭୁବେନଶ୍ୱର ଏୟାରପୋର୍ଟରେ ଅବତରଣ କରିଛନ୍ତି । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୋଦି ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ୍ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବାନ୍ଦୋବସ୍ତ କରାଯାଇଛି । ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ ଦୁଇଟି ଜନସଭା କରିବେ । ପୂର୍ବୋଦୟରୁ ନୂଆ ଭାରତର ଉଦୟର ନାରା ଦେଇ ଆସୁଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପ୍ରସ୍ତୁତ ରହିଛି ଓଡ଼ିଶା । ଭୁବନେଶ୍ୱର ବିମାନନ୍ଦର, ଝାରସୁଗୁଡ଼ା ଏୟାରପୋର୍ଟ ଏବଂ ତାଳଚେର ହେଲିପ୍ୟାଡ୍ରେ ସରିଛି କାରକେଟ୍ ରିହଲସଲ । ପହଂଚିବା ପରେ ସିଧାସଳଖ ତାଳଚେର ଅଭିମୁଖେ ଯାତ୍ରା କରିବେ ମୋଦି । ତାଳଚେର ହେଲପ୍ୟାଡ୍ରୁ ସଡକ ପଥରେ ଏଫସିଆଇ ୟୁନିଟ୍, ସେଠୁ ଯାଇ ସାର କାରଖାନାର ଶିଳାନ୍ୟାସ କରିବେ । ସାଢ଼େ ୧୦ଟାରେ ତାଳଚେର ଜନସଭାରେ ଯୋଗଦେବା ପରେ ସାଢ଼େ ୧୧ଟାରେ ଝାରସୁଗୁଡ଼ା ଅଭିମୁଖେ ବାହାରିବେ । ଝାରସୁଗୁଡ଼ାରେ ବିମାନ ବନ୍ଦର ଉଦଘାଟନ ପରେ ଏନଟିପିସି ମାଇନ୍ସ, ଏମସିଏଲ୍ ମାଇନ୍ସ ଏବଂ ରେଳଲାଇନରେ ଉଦଘାଟନ କରିବେ ନରେନ୍ଦ୍ର ମୋଦି । ଉଭୟ ଝାରସୁଗଡ଼ା ଏବଂ ତାଳଚେରରେ ଜନସଭାରେ କାର୍ୟ୍ୟକ୍ରମ ଥିବାରୁ ଦଳପକ୍ଷରୁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି ।

ମୋଦିଙ୍କୁ ସ୍ୱାଗତ କରିବାକୁ ରାଜ୍ୟପାଳ ଗଣେଣୀ ଲାଲ ବିମାନବନ୍ଦରରେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓ ଡିଜିପି ଡକ୍ଟର ଆରପି ଶର୍ମା ମଧ୍ୟ ଏୟାରପୋର୍ଟରେ ଉପସ୍ଥିତ ଥିଲେ । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରଘୁନାଥ ମହାପାତ୍ର, ପିତାମ୍ବର ଆଚାର୍ୟ୍ୟ , ପ୍ରଭାତି ପରିଡା, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଏୟାରପୋର୍ଟରେ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ।