ନୂଆଦିଲ୍ଲୀ: ଚାଷୀଙ୍କୁ ଆର୍ଥିକ ତଥା ସାମାଜିକ ସ୍ତରରେ ସଶକ୍ତ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ତିନୋଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେଉଛନ୍ତି ସରକାର । ଏଭଳି ଭାବରେ ଚାଷୀମାନେ ୧୯ଟି କିସ୍ତି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇ ସାରିଛନ୍ତି । କିନ୍ତୁ ଏବେ ଅପେକ୍ଷା ୨୦ତମ କିସ୍ତିର । ତେବେ ଆସନ୍ତା ଅଗଷ୍ଟ ୨ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ୍ କିଷାନ ଟଙ୍କା । ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଡିବିଟି ଜରିଆରେ ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଟଙ୍କା । ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର ୫ ଶହ କୋଟି ଟଙ୍କା ।
ଚଳିତ ବର୍ଷ ଫେବ୍ରୁଆରି ମାସ ୧୯ ତାରିଖରେ ପିଏମ୍ କିସାନ ଯୋଜନାର ୧୯ତମ କିସ୍ତି ପାଇଥିଲେ ଚାଷୀ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ୯କୋଟି ୮୦ ଲକ୍ଷ ଚାଷୀ ଉପକୃତ ହୋଇ ସାରିଛନ୍ତି । ଏମାନଙ୍କ ମଧ୍ୟରେ ୨ କୋଟି ୪୦ ଲକ୍ଷ ମହିଳା ଚାଷୀ ରହିଛନ୍ତି । ତେବେ ଯେଉଁମାନେ E-KYC କରାଇନାହାନ୍ତି, ସେମାନଙ୍କ ଖାତାକୁ ଏଥର ପିଏମ୍ କିସାନ ଟଙ୍କା ନଆସିପାରେ । ଖାଲି ସେତିକି ନୁହେଁ ଭୁଲେଖ ଭେରିଫିକେସନ୍ କରାଇନଥିଲେ ବି ଟଙ୍କା ଅଟକି ଯାଇପାରେ । ଏଣୁ ଅଧାଅଧୁରା ଫର୍ମ ପୂରଣ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଥିଇଲା ।