ତୁରନ୍ତ ଘରଡିହ ଯୋଗାଇ  ଦିଆଯାଉ  ନଚେତ୍ ଆନ୍ଦୋଳନ ହେବ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ରାଇରଙ୍ଗପୁର ସହର ଅଁଳାଡ଼ୁବା, ୧୦ ନଂ ୱାର୍ଡ଼(କୋହୁସାହି)ର ଆଦିବାସୀ କୋହ୍ଲ ଜାତିର ଝିଅ ମଞ୍ଜୁ ନାଏକଙ୍କ ଘରଡିହ ନଥିବାରୁ ସାଧାରଣ ବର୍ଗର ଛାତ୍ରୀ ରୂପେ ଯୁକ୍ତ ତିନି ବିଜ୍ଞାନ ପାସ କରିଛନ୍ତି l ମୟୂରଭଞ୍ଜ ଜିଲ୍ଲାରୁ ମନ୍ତ୍ରୀ ହୋଇଥିବା ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁର ବିଧାୟକ କଲେନ୍ ନାଏକ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୟୁରଭଂଜ ଜିଲ୍ଲାପାଳ ହେମକାନ୍ତ ସଏ, ସ୍ଵତନ୍ତ୍ର ଭୁ- ଅର୍ଜନ ଅଧିକାରୀ ଶିବରାମ ମୁଣ୍ଡା ଓ ପ୍ରମଣ୍ଡଳ ଶ୍ରମ ଆୟୁକ୍ତ ନରେନ୍ଦ୍ରନାଥ ଗୋଇପାଇ ଆଦିବାସୀ ହୋ/କୋହ୍ଲ ଜାତିର ଅଟନ୍ତି l ଏହାସତ୍ତ୍ବେ ସେହି ଜାତିରେ ଜନ୍ମିତ ମଞ୍ଜୁ ନାଏକଙ୍କ ଗରୀବ ପରିବାରକୁ ପ୍ରଶାସନ ତରଫରୁ ପରିହାସ କରୁଥିବା ଅଭିଯୋଗ ଆଣିଛି ‘ହୋ ଗାଲାଙ୍ଗ’ ସଂଗଠନ l ଆଜି ବାମନଘାଟି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତାଙ୍କରି ଅନୁପସ୍ଥିତିରେ ସହକାରୀ ଉପ- ଜିଲ୍ଲାପାଳ ବାସନ୍ତୀ ଲାକ୍ରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ଏଥିରେ ମଞ୍ଜୁ ନାଏକଙ୍କ ପରିବାରକୁ ତାଙ୍କରି ବାସସ୍ଥାନ ନିକଟରେ ଘରଡିହ ଜମି ଯୋଗାଇ ତୁରନ୍ତ ନ୍ୟାୟ ଦେବାକୁ ଦାବି କରାଯାଇଛି । ଏହା ପୂର୍ବରୁ ମୟୂରଭଂଜ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଗତ ଏପ୍ରିଲ୍ ୨୪ ତାରିଖରେ ସଙ୍ଗଠନ ତରଫରୁ ଅନୁରୂପ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣା ପଡିଛି l ମଞ୍ଜୁ ନାଏକଙ୍କ ପରିବାର ପ୍ରତି ପ୍ରଶାସନର ସମବେଦନା କିମ୍ୱା ସହାନୁଭୂତି ନାହିଁ । ଦିନ ମଜୁରିଆ ମାଆ ସୁରଧି ତାଙ୍କରି ବଡ଼ଝିଅ ମଞ୍ଜୁ ଓ ସାନଝିଅ ରାକ୍ଷୀଙ୍କୁ ପାଠପଢ଼ାଇ ମଣିଷ କରିବାର ପାଇଁ ସ୍ବପ୍ନ ଦେଖୁଛନ୍ତି । ନିଜସ୍ଵ ଜମି ନାହିଁ, ଫଳରେ ତାଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ) ପାଇବା ସ୍ଵପ୍ନ ପାଲଟିଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗୃହ ସହର ରାଇରଙ୍ଗପୁରରେ ଆଦିବାସୀ ହୋ/କୋହୁ ଲୋକମାନେ ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାଡ଼ିର ସବା ପଛରେ ଥିବା ବ୍ୟକ୍ତି ପାଖରେ ଯୋଜନା ପହଁଚିବାର ଲକ୍ଷ୍ୟ ରଖିଛନ୍ତି । ରାଇରଙ୍ଗପୁର ପୌରପାଳିକାର ଅଧିକାରୀ/ କର୍ମଚାରୀମାନଙ୍କର ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ପ୍ରତିକୂଳ ପରିସ୍ଥିତିରେ ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ କରୁଥିବା ମଞ୍ଜୁ ନାଏକଙ୍କ ପରିବାରକୁ ନ୍ୟାୟ ମିଳିବାରେ ବିଳମ୍ୱ ହେଉଛି।