ବିବାଦୀୟ ନେତାଙ୍କ ସହ ସମଦୂରତା ରଖୁଛି ଦଳ!

ଭୁବନେଶ୍ୱର: ଆସନ୍ତା ୩୦ରେ ପିପିଲି ଉପନିର୍ବାଚନ । ଉପନିର୍ବାଚନ ପାଇଁ ସବୁ ଦଳ ସଜ । ସବୁ ଦଳ ଦ୍ୱାରା ଷ୍ଟାର ପ୍ରଚାରକ ନାମ ଘୋଷଣା । ବିଜେଡି ମଧ୍ୟ ତାର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ଶୀର୍ଷରେ ଥିବା ବେଳେ ପ୍ରଣବ ପ୍ରକାଶ ଦାସ, ମହେଶ୍ୱର ମହାନ୍ତି, ଦେବି ପ୍ରସାଦ ମିଶ୍ର, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚ୍ଚି ନାୟକ, ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ବର୍ମା, ସମୀର ଦାସ, ସୁଶାନ୍ତ ସିଂହ , ସ୍ନେହାଙ୍ଗିନୀ ଛୁରିଆ, ପ୍ରୀତି ରଞନ ଘଡେଇ, ଉମା ସାମନ୍ତରାୟ, ପ୍ରଣବ ବଲବନ୍ତରାୟ, ବ୍ୟୋମକେଶ ରାୟ, ବିଭୁତି ବଳବନ୍ତରାୟ, ତୁଷାରକାନ୍ତି ବେହେରା, ଦେବୀ ରଞ୍ଜନ ତ୍ରିପାଠୀ ଓ ସୁଧିର ସାମଲଙ୍କ ନାମ ରହିଛି ।

ତେବେ ଏହି ତାଲିକାରେ ନାହାନ୍ତି ଦଳର ବହୁ ହେବି ୱେଟ ମୁହଁ । ସେମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ସ୍ୱାଇଁ, ବିକ୍ରମ ଆରୁଖ, ନବକିଶୋର ଦାସ, ଟୁକୁନି ସାହୁ ତଥା ବିଧାୟକ ଅନନ୍ତ ନାରାୟଣ ଜେନା । ପୂର୍ବରୁ ଏହି ତାଲିକାରେ ନବ, ଅନନ୍ତ ତଥା ଟୁକୁନିଙ୍କ ନାମ ଥିବା ବେଳେ ବର୍ତ୍ତମାନ ତାଲିକାରେ ଏମାନଙ୍କୁ ପ୍ରଚାରରୁ ବାଦ ଦିଆଯାଇଛି । ତାଲିକାରେ ପରିବର୍ତ୍ତନକୁ ନେଇ ଏବେ ନାନା କଥା ଶୁଣିବାକୁ ମିଳୁଛି । ପୂର୍ବ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ନଥିଲେ ମନ୍ତ୍ରୀ ଅରୁଣ ସାହୁ, ପ୍ରତାପ ଜେନା, ରଣେନ୍ଦ୍ର ସ୍ୱାଇଁ, ବିକ୍ରମ ଆରୁଖଙ୍କ ପରି ହେଭି ୱେଟ । ଚଳିତ ତାଲିକାରେ ମଧ୍ୟ ବାଦ ପଡିଛନ୍ତି । କାରଣ ଏମାନଙ୍କ ନାମରେ ରହିଛି ସଂଗୀନ ଅଭିଯୋଗ । ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତିକୁ ନେଇ ସରକାରକୁ ନାକେଦମ ହେବାକୁ ପଡିଥିଲା । ସେହିପରି ପ୍ରତାପ ଜେନାଙ୍କ ନାମ ରହିଛି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ହତ୍ୟାକାରୀ ଭାବେ । ଏହାକୁ ନେଇ ବିରୋଧୀ ଦଳ ବିଧାନସଭାରେ ନାନା ହଟଗୋଳ କରି ସରକାରୀ ଦଳକୁ ଘାଇଲା କରିଛନ୍ତି ।

ସେହିପରି ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ ତଥା ତାଙ୍କ ବନ୍ଧୁ ପରିଜନ ସରକାରୀ ଯୋଜନା ବାଟମାରଣ କରିବାକୁ ନେଇ ରହିଛି ଲମ୍ବା ତାଲିକା । ଶେଷରେ ଆସୁଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ । ପୂର୍ବରୁ ବହିଷ୍କୃତ ଆଇଏଫଏସ ଅଭୟ ପାଠକ ତଥା ତାଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ମାମଲାରେ ଆରୁଖଙ୍କୁ ଟଣାଯାଇଥିଲା କାଠଗଡାକୁ । ତେଣୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା । ଏବେ ପୁଣି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁରେ ମନ୍ତ୍ରୀ ଗୋଡରୁ ମୁଣ୍ଡ ଛନ୍ଦି ହୋଇପଡିଛନ୍ତି । ବର୍ତ୍ତମାନ ତାଲିକାରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ବାଦ ଦେଇଦେଲା ଦଳ । ଏହାକୁ ନେଇ କୁହାଯାଉଛି, ମନ୍ତ୍ରୀ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ରାଜ୍ୟର ସ୍ୱାସ୍ଥ୍ୟକୁ ପଛ କରି ବେଦାନ୍ତ ସଂପ୍ରସାରଣରେ ମାତିଥିଲେ । ତାଙ୍କ ବିଭାଗରେ ହୋଇଗଲା କୋଟି କୋଟି ଟଙ୍କାର କେଳେଙ୍କାରୀ, କିନ୍ତୁ ମନ୍ତ୍ରୀଙ୍କୁ ତାର ଟେର ନଥିଲା । ସେହିପରି ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତଙ୍କୁ ନେଇ ଦଳରେ ଅସନ୍ତୋଷ ଥିଲା ଓ ରହିଛି ।

ତେବେ ଚଳିତ ତାଲିକାକୁ ଦେଖିବା ପରେ ମନେ ହେଉଛି ବିଭିନ୍ନ ବିବାଦରେ ସମ୍ପୃକ୍ତ ବିଧାୟକ, ମନ୍ତ୍ରୀଙ୍କଠାରୁ ଦଳ ତଥା ସୁପ୍ରିମୋ ସମ ଦୂରତା ଅବଲମ୍ବନ କରୁଛନ୍ତି । ବିବାଦୀୟ ଷ୍ଟାର ପ୍ରଚାରକଙ୍କ ଉପସ୍ଥିତି ପ୍ରଚାର ମଇଦାନରେ ଦଳ ପାଇଁ କାଳେ ଘାତକ ହେବ ସେନେଇ ମାପିଚୁପି ୩୦ ଜଣରୁ ବହୁ ବିଚାର ବିମର୍ଶ ପରେ ୨୦ ଜଣଙ୍କୁ ଦଳ ବାଛିଚି । ଅନ୍ୟ ପଟେ ତୁଷାରକାନ୍ତି ଓ ସମୀରଙ୍କ ଉପରେ ସୁପ୍ରିମୋ ଅସନ୍ତୁଷ୍ଟ ଥିଲେ ମଧ୍ୟ ଉଭୟଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ପୂର୍ବ ପ୍ରଚାର କାଳରେ ସତ୍ୟବାଦୀ ବିଧାୟକ ଉମାଙ୍କ ପ୍ରତି ଦଳୀୟ ନେତୃବୃନ୍ଦଙ୍କ ଅଣଦେଖା ଓ ବେଖାତିର ସତ୍ତେ୍ୱ ତାଙ୍କୁ ପ୍ରଚାର ମଇଦାନକୁ ଛଡାଯାଇଛି । କାରଣ ସ୍ଥାନୀୟ ବିଜେଡି ନେତୃବୃନ୍ଦଙ୍କୁ ବାଦ ଦେଲେ ଦଳରେ ଥିବା କନ୍ଦଳ ପଦାକୁ ଆସିବାର ଭୟ ରହିଛି, ଯାହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ବିରୋଧୀ ବିଜେପି । ତେଣୁ ଏମାନଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ସତ୍ତେ୍ୱ ଏମାନଙ୍କୁ ପ୍ରଚାର ମଇଦାନକୁ ଛାଡି ଦଳ ସାଂଗଠନିକ ଏକତାର ପ୍ରମାଣ ଦେବାକୁ ଚେଷ୍ଟା କରୁଥିବା କୁହାଯାଉଛି ।