ଶେଷ ପର୍ଯ୍ୟାୟରେ ପ୍ରଚାର: ଜମୁଛି ପିପିଲି ମୈଦାନ

ଭୁବନେଶ୍ୱର/ ରାଜେଶ ସାହୁ: ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ଦଳର ଦଳୀୟ ପ୍ରଚାର ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ଦଳୀୟ ନେତା। ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ରବିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ରୋଡ୍ ସୋ ଏବଂ ରାଲି କରି ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।
ତେଣେ ଶାସକ ବିଜେଡି ମଧ୍ୟ ତାର ପ୍ରସ୍ତୁତିକୁ ଜୋରଦାର କରିଛି। ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଦଳର ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭର୍ଚୁଆଲ ରାଲି କରିଛନ୍ତି। ପିପିଲିବାସୀଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି, “କଳାର ଭୂମି ହେଉଛି ପିପିଲି ଓ ଡେଲାଙ୍ଗ। ଏଠାକାର ପ୍ରସିଦ୍ଧ ଚାନ୍ଦୁଆ ଦେଶ ବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି। ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି। ସବୁ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ପିପିଲି-ଡେଲାଙ୍ଗବାସୀଙ୍କ ପାଇଁ ଭଲ କାମ ହୋଇଛି। ଆଗକୁ ମଧ୍ୟ ଭଲ କାମ ହେବ।
ପିପିଲି-ଡେଲାଙ୍ଗର ବିକାଶ କାର୍ୟ୍ୟ ମୁଁ ନିଜେ ବୁଝିବି।”ନିର୍ବାଚନ ମଣ୍ଡଳୀର ପାଟସାହାଣୀ ପୁର, ଦାଣ୍ଡ ମୁକୁନ୍ଦପୁର, କୁମରେଶ୍ୱର, ରେଞ୍ଚ, ଅଂକୁଲା ଓ ସିଂହ ବ୍ରହ୍ମପୁରଠାରେ ବଡ଼ ବଡ଼ ଏଲଇଡି ସ୍କ୍ରିନ ଜରିଆରେ ଲୋକେ ନବୀନଙ୍କ ପ୍ରଚାର ବାର୍ତ୍ତା ଶୁଣିଥିଲେ। ସୋମବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଦଳୀୟ କର୍ମୀଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ମଙ୍ଗଳବାର ଦିନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓଲାଇଛନ୍ତି।
ରବିବାର ଦିନ ପ୍ରଚାର ଶେଷ କରିବା ପରେ ବୈଜୟନ୍ତ ଗଣମାଧ୍ୟମକୁ କହିଛନ୍ତି ଯେ ପିପିଲିର ଭୋଟରମାନେ ପରିବର୍ତ୍ତନ ଚାହୁଁଛନ୍ତି କାରଣ ଦଶ ବର୍ଷ ପରେ ମଧ୍ୟ ଏ ଅଞ୍ଚଳର କୌଣସି ଉନ୍ନତି ହୋଇନାହିଁ ଏବଂ ଗୋଟିଏ ପରିବାରର ଶାସନ ପ୍ରତି ଲୋକେ ବିମୁଖ ହୋଇ ପଡିଛନ୍ତି। ରବିବାର ଦିନ ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମ ମଧ୍ୟ ପ୍ରଚାର କରିଥିଲେ।
ତେଣେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ ହେବା ପରେ ନିଜେ ପ୍ରଚାର କରି ପାରୁନାହାନ୍ତି। କିନ୍ତୁ ତାଙ୍କ ପାଇଁ ଦଳର ବରିଷ୍ଠ ନେତାମାନେ ଲାଗି ପଡିଛନ୍ତି। କଂଗ୍ରେସର ଓଡ଼ିଶା ପ୍ରଭାରୀ ଏ ଚେଲ୍ଲା କୁମାର ମଙ୍ଗରାଜଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣା ପଡ଼ିଛି।