ଷ୍ଟାର ପ୍ରଚାରକ ତାଲିକା ଖୋଲିଦେଲା
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ସବୁ ଦଳ ତରଫରୁ ୨୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ହେଲେ ବିଜେଡି ତାଲିକାକୁ ନେଇ ରାଜନୈତିକ ମହଲରେ ତଥା ରାଜ୍ୟବାସୀଙ୍କ ମଧ୍ୟରେ ଚର୍ଚ୍ଚା । ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ଏହି ତାଲିକାରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରି ପୁରୁଖାଙ୍କୁ ବାଦ ଦେଇଛନ୍ତି । ରାଜ୍ୟବାସୀ ସରକାରର ନୀତିଗତ ପାର୍ଥକ୍ୟକୁ ନେଇ ସନ୍ଦିହାନ । ସାଧାରଣ ଜନତା ଏବେ ପ୍ରଶ୍ନ କରୁଛନ୍ତି, ସତରେ କଣ ନବୀନ ସରକାରରେ ଚାଲିଛି ସ୍ୱଚ୍ଛତା? ସରକାରୀ ଦଳ କଣ ବାସ୍ତବରେ ନିରପେକ୍ଷତା ଅବଲମ୍ବନ କରୁଛି? ବାସ୍ତବରେ କଣ ଦୁର୍ନୀତି ପ୍ରତି ରହିଛି ମୁଖିଆଙ୍କ ଶୂନ୍ୟ ସହିଷ୍ଣୁତା ମନୋଭାବ? ସତରେ କଣ ଦଳ ସୁପ୍ରିମୋଙ୍କ ନିକଟରେ ସର୍ବଦା ହିଂସା, ଭ୍ରଷ୍ଟାଚାରର ସଜ୍ଞା ସମାନ?
ଏପରି ପ୍ରଶ୍ନର ଯଥାର୍ଥତା ମଧ୍ୟ ରହିଛି । ନିକଟରେ ବାଲୁଙ୍ଗା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ମାରପିଟ ଅଭିଯୋଗ ଆସିବା ପରେ କାଳବିଳମ୍ବ ନ କରି ସୁପ୍ରିମୋ ତାଙ୍କୁ ଦଳରୁ ନିଲମ୍ବିତ କରିଦେଲେ । ସେହିପରି ଗତବର୍ଷ ଜନବିରୋଧୀ ଆଖ୍ୟା ଦେଇ ଦଳ ଗୋପାଳପୁର ବିଧାୟକ ତଥା ଏକଦା ନବୀନଙ୍କ ଏକାନ୍ତ ବିଶ୍ୱସ୍ତ ଓ ପ୍ରତିନିଧି ଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିବା ସହ ଜେଲ ପଠାଇଦେଲା । ଏହା ବ୍ୟତୀତ ପୂର୍ବରୁ ବହୁ ନେତା ମନ୍ତ୍ରୀଙ୍କୁ ଛାୟା ଦୁର୍ନୀତି ନାମରେ ଦଳରୁ ବିତାଡିତ କରାଯାଇଥିବା ରାଜ୍ୟ ଦେଖିଛି । ନବୀନ ଏହାକୁ ନେଇ ରାଜ୍ୟରେ ଦୀର୍ଘ ୫ ପାଳିର ଶାସନ କାଳରେ ସ୍ୱଚ୍ଛତା ଓ ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତାର ଡେଙ୍ଗୁରା ପିଟି ଆସୁଛନ୍ତି । କିନ୍ତୁ ଏହି କାଳକ୍ଷେପଣ ନୀତି କାହିଁ ଉପରୋକ୍ତ ଦାଗି ମନ୍ତ୍ରୀଙ୍କ କ୍ଷେତ୍ରରେ ଅବଲମ୍ବନ କରାଯାଇନାହିଁ ବୋଲି ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ।
ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ ନୟାଗଡ ପରୀ ହତ୍ୟା ମାମଲାରେ ପରୋକ୍ଷ ସମ୍ପୃକ୍ତି ନେଇ ଅଭିଯୋଗ ରହିଛି । ପରୀ ହତ୍ୟାକାରୀକୁ ଘଣ୍ଟ ଘୋଡାଇଥିବା ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାର ପରିବାର । ଏହାକୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା । ସେହିପରି ମନ୍ତ୍ରୀ ଆରୁଖଙ୍କ ଛତ୍ରଛାୟା ତଳେ ଆଇଏଫଏସ ଅଭୟ ପାଠକ ୯ କୋଟିରୁ ଊଦ୍ଧ୍ୱର୍ ଅର୍ଥ ହଡପ ଓ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ଏସିଏଫ ସୌମ୍ୟଙ୍କ ହତ୍ୟା ମାମଲାରେ ମନ୍ତ୍ରୀ ଅଭିଯୁକ୍ତ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଘଣ୍ଟ ଘୋଡାଇ ତଦନ୍ତକୁ ଦିଗହରା କରୁଥିବା ଅଭିଯୋଗ ହୋଇଛି । ଆଇନ ବିଭାଗର ସର୍ବମୟ କର୍ତ୍ତା ପ୍ରତାପ ଜେନାଙ୍କୁ ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଏଫଆଇଆରରେ ଉଲ୍ଲେଖ କରାଯାଇଛି । ହତ୍ୟା ପରି ଜଘନ୍ୟକାଣ୍ଡରେ ଏମାନଙ୍କ ନାମ ଥିଲେ ମଧ୍ୟ ଏଯାବତ୍ ନା ଏମାନଙ୍କୁ ସୁପ୍ରିମୋ ଦଳରୁ ବିତାଡିତ କରିଛନ୍ତି, ନାହିଁ ଏମାନଙ୍କ ମନ୍ତ୍ରୀପଦ ଯାଇଛି ।
ଅନ୍ୟପଟେ, ଷ୍ଟାର ପ୍ରଚାରକ ତାଲିକାରୁ ଏମାନଙ୍କ ନାମ ବାଦ ଦେବା ପରେ ପରୋକ୍ଷରେ ହେଉ ପଛେ ଦଳ ମୁଖିଆ ସ୍ୱୀକାର କରୁଛନ୍ତି ଏମାନେ ଅପରାଧ ଓ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ଏବେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିରବତା ଦ୍ୱାରା ସରକାରୀ ଦଳ ଜନତାଙ୍କ ଭରସା ହରାଇବାରେ ଲାଗିଛି । ନୀବନଙ୍କ ନୀରବତାକୁ ନେଇ ସୋସିଆଲ ମିଡିଆରେ ଖୋଲାଖୋଲି ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । ଲୋକେ ପଚାରିଲେଣି, କାହିଁ ଦାଗୀ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁ? ନବୀନଙ୍କ ନିରବତାକୁ ଲୋକେ ନବୀନଙ୍କ ଅସହାୟତା ମାନିବା ଆରମ୍ଭ କରି ଦେଲେଣି । ଏହା ଯେ ଆଗାମୀ ଦିନରେ ବିଜୁ ବାବୁଙ୍କ ନାମରେ ନାମିତ ଦଳ ପାଇଁ ଘାତକ ନ ହେବ କହି ହେଉ ନାହିଁ ।