ଅନୁଗୁଳ(ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ଗଡମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ କୈଳାସ ଚନ୍ଦ୍ର ମାଝୀ(୩୮)ଙ୍କ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀ ମାଝୀ ଗତ ୧୮ ଦିନ ପୁର୍ବରୁ ରୋଗୀସେବାରୁ ସଂକ୍ରମିତ ହୋଇ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ତିନିଦିନ ପରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ବିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ସାଢ଼େ ୧୧ ଟାରେ ତାଙ୍କର ପରଲୋକ ଘଟିଛି। ତାଙ୍କର ଅବଦାନ ଯୋଗୁଁ ଗଡମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ଘୋଷଣା କରାଯାଇଛି। ଆଜି ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସେପଟେ ସ୍ୱାସ୍ଥ୍ୟ ବିଭାଗର ନିୟମିତ କର୍ମଚାରୀ ହୋଇଥିଲେ ମଧ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯାଉ ନଥିବାରୁ ସରକାରଙ୍କ କରୋନା ଯୋଦ୍ଧା ଅନୁକମ୍ପା ରାଶିରୁ ସେ ବଞ୍ଚିତ ହୋଇଛନ୍ତି। ରାଜ୍ୟର କାର୍ଯ୍ୟରତ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିଲେ ମଧ୍ୟ ସରକାର ପାତରଅନ୍ତର କରୁଛନ୍ତି ବୋଲି କୁହାଯାଉଛି। ଏହାକୁ ନେଇ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଅସନ୍ତୋଷ ଦେଖାଦେଇଛି। ରାଜ୍ୟର ସମସ୍ତ ଫାର୍ମାସିଷ୍ଟମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ସହିତ ଶ୍ରୀ ମାଝୀଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ଫର୍ମାସିଷ୍ଟ ସଂଘ ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ, ସମ୍ପାଦକ ସଞ୍ଜୟ କୁମାର ପ୍ରଧାନ ଓ ପୂର୍ବତନ ରାଜ୍ୟ କମିଟି ସଭାପତି ଜଳଧର ସେଠୀ ସଂଘ ପକ୍ଷରୁ ଦାବି କରିଛନ୍ତି।