ଉତ୍ପାଦ ଶୁଳ୍କ କମ କରାନଯିବାର କାରଣ କହିଲେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ ୧୬।୦୮: ପେଟ୍ରୋଲ ଓ ଡିଜେଲ୍‌ର ଆକାଶଛୁଆଁ ଧରବୃଦ୍ଧିକୁ ନେଇ ଅସ୍ତବ୍ୟସ୍ତ ସାଧାରଣ ଜନତା। କେବଳ ଏତିକି ନୁହେଁ  ଡିଜେଲ୍‌ର ଦର ବୃଦ୍ଧି କାରଣରୁ ପରିବହନ ଖର୍ଚ୍ଚ ମଧ୍ୟ  ବଢୁଛି। ପରିଣାମସ୍ଵରୂପ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବି ବଢୁଛି। ତେଣୁ ପେଟ୍ରୋଲ-ଡିଜେଲ୍ ଦର କମ କରିବାକୁ ଦାବି ଉଠୁଛି। ଏହି କ୍ରମରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ପେଟ୍ରୋଲ-ଡିଜେଲ୍ ଦାମ କମ କରାନଯିବାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, ଇନ୍ଧନ ଦର ବୃଦ୍ଧି ପାଇଁ ପୂର୍ବର କଂଗ୍ରେସ ସରକାର ଦାୟୀ।

ୟୁପିଏ ସରକାର ଜାରି କରିଥିଲେ ୧.୪୪ ଲକ୍ଷ କୋଟି ଟଙ୍କାର ଓଏଲ  ବଣ୍ଡ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୟୁପିଏ ସରକାର ପେଟ୍ରୋଲ-ଡିଜେଲ୍ ଦର କମ କରିବା ପାଇଁ ୧.୪୪ ଲକ୍ଷ କୋଟି ଟଙ୍କାର ଓଏଲ ବଣ୍ଡ ଜାରି କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୟୁପିଏ ସରକାର ଦ୍ଵାରା  ଭୁଲ୍ ପ୍ରକ୍ରିୟାରେ ବ୍ୟବହାର କରାଯାଇଥିବା ଓଏଲ ବଣ୍ଡ୍‌କୁ ଇନ୍ଧନ ଦର ହ୍ରାସ କରିବାରେ ବ୍ୟବହାର କରି ପାରିବେ ନାହିଁ। ନିର୍ମଳା କହିଛନ୍ତି, ୟୁପିଏ ସରକାର ପକ୍ଷରୁ ଜାରି ଓଏଲ ବଣ୍ଡର ବୋଝ ମୋଦୀ ସକରାର ଉପରେ ପଡିଛି। ଏଥିପାଇଁ ଆମେ ପେଟ୍ରୋଲ-ଡିଜେଲ୍ ଦାମ କମ କରି ପାରୁ ନାହୁଁ ବୋଲି ନିର୍ମଳା କହିଛନ୍ତି।