ଗୁରୁତର ରୋଗୀଙ୍କ୍ ପାଇଁ ୪ଟି ମେଡିକାଲରେ ରହିବ ସ୍ଥାୟୀ ‘ହେଲି ପ୍ୟାଡ’

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବାକୁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ରୋଗୀଙ୍କୁ ଉନ୍ନତ ତଥା ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ । ଦୁର୍ଗମ ଅଞ୍ଚଳରେ ବିମାନ ସେବା ଯୋଗାଇବା ପରେ ବର୍ତ୍ତମାନ ସହରାଞ୍ଚଳରେ ବିମାନସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ସୂଚନା ଅନୁଯାୟୀ, ରାଜ୍ୟର ପ୍ରମୁଖ ୪ଟି ସହରରେ ପ୍ରତିଷ୍ଠା କରାଯିବ ୪ଟି ସ୍ଥାୟୀ ହେଲିପ୍ୟାଡ। କଟକ ସ୍ଥିତ ଏସସିବି ମେଡିକାଲ, ସମ୍ବଲପୁରର ଭିଏସଏସ୍ ମେଡିକାଲ ଓ ବ୍ରହ୍ମପୁରର ଏମକେସିଜି ମେଡିକାଲ ସହିତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ବାୟୁମାର୍ଗରେ ସଂଯୋଗ କରାଯିବ। ଫଳରେ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ଅଧିକ ସମୟ ଲାଗିବ ନାହିଁ କିମ୍ବା ଟ୍ରାଫିକ ଜନିତ ସମସ୍ୟା ଯୋଗୁଁ କାହାର ଜୀବନ ଯିବନାହିଁ। ଏଥିପାଇଁ ସରକାରୀ ସ୍ତରରେ ନିତିଗତ ନିଷ୍ପତ୍ତି ହୋଇସାରିଛି। ରାଜ୍ୟର ୪ଟି ମେଡିକାଲ କ୍ୟାମ୍ପସରୁ ବିମାନସେବାକୁ ଖୁବଶୀଘ୍ର କାର୍ୟ୍ୟକାରୀ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।