ସିଦ୍ଧୁ କାହିଁକି ଦେଲେ ଏପରି ବୟାନ, ‘ମୋ ପାଇଁ ଗାତ ଖୋଳିଥିଲେ, ନିଜେ ସେହି ଗାତରେ ପଡ଼ିଲେ’

ପଞ୍ଜାବ: ପଞ୍ଜାବରେ କଂଗ୍ରେସର ଗଡ଼ ଧ୍ୱସ୍ତ ହେବା ପରେ ନିର୍ବାଚନ ଫଳାଫଳକୁ ନେଇ ବଡ ବୟାନ ରଖିଛନ୍ତି କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ପଞ୍ଜାବରେ କଂଗ୍ରେସର ବଡ଼ ହାର ବାବଦରେ ମୁହଁ ଖୋଲିବା ସହ ସିଦ୍ଧୁ ଯାହା କହିଛନ୍ତି ତାହା ପଞ୍ଜାବ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।

  • ‘ ମୋ ପାଇଁ ଗାତ ଖୋଳିଥିଲେ, ନିଜେ ସେହି ଗାତରେ ପଡ଼ିଲେ’

ସିଦ୍ଧୁ କହିଛନ୍ତି, ଯେଉଁମାନେ ମୋ ପାଇଁ ଗାତ ଖୋଳିଥିଲେ ସେମାନେ ନିଜେ ସେହି ଗାତରେ ପଡ଼ି ଯାଇଛନ୍ତି । ଯାହା ହୋଇ ଯାଇଛି ତାହାକୁ ଭୁଲିଯାଅ । ଲୋକେ ପରିବର୍ତ୍ତନ ପାଇଁ ଆମ ଆଦମୀ ପାର୍ଟିକୁ ଭୋଟ ଦେଇ ଚୟନ କରିଛନ୍ତି । ଲୋକଙ୍କର ସେହି ବିଶ୍ୱାସକୁ ଆପ୍ ବଜାୟ ରଖୁ ତାହା ହିଁ ଆଶା । ବଡ ବିଜୟ ପାଇଁ ଆପକୁ ଧନ୍ୟବାଦ । ଏହାବାଦ୍ ସିଦ୍ଧୁ କହିଛନ୍ତି, କଂଗ୍ରେସ କାହିଁକି ହାରିଲା ତାହାର ତର୍ଜମା ହେବ । ଆମେ କିନ୍ତୁ ଏହି ହାର ପରେ ଚୁପ୍ ବସିବୁନି ।

ସେ ଆହୁରି ମଧ୍ୟ କହିଛନ୍ତି, ପରାଜୟ ପାଇଁ ଚିନ୍ତା ନୁହେଁ ବରଂ ଚିନ୍ତନ କରାଯିବ । କ୍ଷମତା ଓ ପଦପଦବୀରେ ମୋର ଲୋଭ କି ଆସକ୍ତି ନାହିଁ । ନଚେତ ସବୁ ସମ୍ପର୍କ ତୁଟାଇ ମୁଁ କଂଗ୍ରେସରେ ସାମିଲ ହୋଇନଥାନ୍ତି । ଦୀର୍ଘବର୍ଷର ରାଜନୈତିକ କ୍ୟାରିୟରରେ ଅନେକ ଉତଥାନ ପତନ ଦେଖିଛି । ଆମେ ଏହି ପରାଜୟକୁ ବିନମ୍ରତାର ସହ ସ୍ୱୀକାର କରୁଛୁ । ପଞ୍ଜାବର ବିକାଶରେ ଯିଏ ସାଥ୍ ଦେବ ତାକୁ ଆମେ ସବୁବେଳେ ସମର୍ଥନ କରିବୁ କିନ୍ତୁ ପଞ୍ଜାବ ବିକାଶରେ ଯିଏ ବାଧା ଦେବ ସେଠାରେ ଆମେ ସ୍ୱର ଉତ୍ତୋଳନ କରିବୁ ।

  • ସିଦ୍ଧୁଙ୍କୁ “ବେଲଗାମ୍ ଘୋଡା”ର ଆଖ୍ୟା 

ତେବେ ସିଦ୍ଧୁଙ୍କ ଏପରି ବୟାନବାଜୀ ପରେ ପଞ୍ଜାବର ତିନିଜଣ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କୁ “ବେଲଗାମ୍ ଘୋଡା” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସିଦ୍ଧୁ କଂଗ୍ରେସକୁ ଏକ ପ୍ରକାର ଧ୍ୱଂସ କରିଦେଇଛନ୍ତି । ଚରଣଜିତ ସିଂ ଚନ୍ନି ଏବଂ କଂଗ୍ରେସ ପାର୍ଟି ସରକାରଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ବହୁ ପୂର୍ବରୁ ତାଙ୍କୁ ଦଳରୁ ବାହାରି ବାର ବାଟ ଦେଖାଇବା ଉଚିତ୍ ଥିଲା|

  • ‘ ସିଦ୍ଧୁଙ୍କ ଡିଏନ୍ଏରେ ନାହିଁ କଂଗ୍ରେସ’

ସେହିଭଳି ପୂର୍ବତନ ଡେପୁଟି ସିଏମ୍ ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ଯେ, ନବଜୋତ ସିଂ ସିଦ୍ଧୁଙ୍କ ଡିଏନ୍ଏରେ କଂଗ୍ରେସ ନାହିଁ। ସେ କଂଗ୍ରେସର ସଂସ୍କୃତି ଜାଣନ୍ତି ନାହିଁ | ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ କାର୍ଯ୍ୟ ଏବଂ ତାଙ୍କ ସରକାର ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ ସେତେବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ତାଙ୍କୁ କଂଗ୍ରେସରୁ ବାହାର କରିଦେବା ଉଚିତ୍। ସେ ତାଙ୍କ ବୟାନ ବାଜି ଜରିଆରେ ନିଜ ଦଳ କଂଗ୍ରେସକୁ ହିଁ ହତ୍ୟା କରି ଦେଇଛନ୍ତି |

 

  • ‘ସିଦ୍ଧୁ ନିଜକୁ ଜଣେ ୱାନ ମ୍ୟାନ୍ ଆର୍ମି ଭାବନ୍ତି’

ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତ୍ରିପାଠୀ ରାଜେନ୍ଦ୍ର ସିଂ ବାଜୱା କହିଛନ୍ତି ଯେ, ସିଦ୍ଧୁ ଜଣେ ଅବିଶ୍ୱାସୀ ଘୋଡା | ସେ କାହା ସହିତ ସାଥି ହୋଇ ଚାଲିପାରିବ ନାହିଁ | ସେ ନିଜକୁ ଜଣେ ୱାନ ମ୍ୟାନ୍ ଆର୍ମି ଭାବନ୍ତି | ଅନ୍ୟପକ୍ଷରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗୁରୁକିରାଟ କୋଟଲି କହିଛନ୍ତି ଯେ, ସିଦ୍ଧୁଙ୍କୁ ନିଜ ବକ୍ତବ୍ୟରେ ନିୟନ୍ତ୍ରଣରେ ରଖିବା ଉଚିତ୍। ଚଳିତ ନିର୍ବାଚନରେ ସିଦ୍ଧୁ ମଧ୍ୟ ପରାଜିତ ହୋଇଛନ୍ତି । ଆଉ ପରାଜିତ ହେବା ପରେ ଚୁପ୍ ବସିନାହାନ୍ତି ସୁଦ୍ଧୁ । ପ୍ରଥମ ଦିନରୁ ଲୋକଙ୍କୁ ଭେଟିବା ସହ ପୂର୍ବରୁ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସିଦ୍ଧୁ କହିଛନ୍ତି, ମୁଁ ମୃତ୍ୟୁକୁ ଭୟ କରେନାହିଁ । ପଞ୍ଜାବ ପ୍ରତି ଭଲପାଇବା ରହିଛି ସେଥିପାଇଁ ସବୁ ଛାଡି ପଞ୍ଜାବର ହକ୍ ପାଇଁ ଲଢେଇ କରିବାକୁ ଆସିଛି ।