ପାୱାର ବନାମ ପାୱାର: ଶରଦଙ୍କୁ ଝଟକା, ଅଜିତ ହେଲେ ସଭାପତି

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ଏନସିପି ବନାମ ଏନସିପି କ୍ଷମତା ସଂଘର୍ଷ ଆଜି ନୂଆ ମୋଡ଼ ନେଇଛି। ଶରଦ ପାୱାରଙ୍କୁ ଆଜି ଆଉ ଏକ ବଡ଼ ଝଟ୍କା ଲାଗିଛି। ତାଙ୍କ ଅଜାଣତରେ ବିଦ୍ରୋହୀ ଗୋଷ୍ଠୀ ତାଙ୍କୁ ଏନସିପି ସଭାପତି ପଦରୁ ହଟାଇ ଦେଇଛନ୍ତି। ବିଦ୍ରୋହର ୨ ଦିନ ପୂର୍ବରୁ ଜୁନ୍ ୩୦ ତାରିଖରେ ଅଜିତ ପାୱାରଙ୍କୁ ଦଳର ସଭାପତି ନିର୍ବାଚିତ କରିଛନ୍ତି। ଏନେଇ ସେମାନେ ନିର୍ବାଚନ କମିସନଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ଅଜିତ ପାୱାରଙ୍କ ଗୋଷ୍ଠୀ ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟକୁ ଲେଖାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ, ଜୁନ୍ ୩୦ ତାରିଖ ବୈଠକରେ ଅଜିତ ପାୱାରଙ୍କୁ ଦଳର ସଭାପତି ନିର୍ବାଚିତ କରାଯାଇଛି ଏବଂ ଜାତୀୟ କାର୍ୟ୍ୟକାରିଣୀ ବୈଠକରେ ଏନେଇ ପ୍ରସ୍ତାବ ଗୃହୀତ ହୋଇଛି। ଅନ୍ୟପକ୍ଷେ ଇସିଙ୍କ ପାଖକୁ ଚିଠି ଲେଖି ଅଜିତ ପାୱାର ଗୋଷ୍ଠୀ ଦଳର ନାମ ଓ ଚିହ୍ନ ଉପରେ ଅଧିକାର ଦାବି କରିଛନ୍ତି। ସେମାନେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଇତିମଧ୍ୟରେ ଶରଦ ପାୱାରଙ୍କ ବିଶ୍ବସ୍ତ ଜୟନ୍ତ ପାଟିଲ ମଧ୍ୟ ଇସିଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ଇସିଙ୍କୁ ଅବଗତ କରିଛନ୍ତି। ଦଳ ବଦଳ ନିରୋଧ ଆଇନ ବଳରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦଳ ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି।

ଉଭୟ ଶରଦ ପାୱାର ଏବଂ ଅଜିତ ପାୱାର ସେମାନଙ୍କ ନିକଟରେ ୫୩ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ଶକ୍ତି ପ୍ରଦର୍ଶନ କରିଥିଲେ। ଅଜିତ ପାୱାର ମୁମ୍ବାଇର ବାନ୍ଦ୍ରାରେ ବୈଠକ କରିଥିବା ବେଳେ ଶରଦ ପାୱାର ମୁମ୍ବାଇର ନରିମାନ ପଏଣ୍ଟରେ ବୈଠକ କରିଛନ୍ତି। ୪୨ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଅଜିତ ପାୱାରଙ୍କ ଗୋଷ୍ଠୀର ଶକ୍ତି ପ୍ରଦର୍ଶନରେ ଆଜି ୩୨ ବିଧାୟକ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନରେ ୧୮ ବିଧାୟକ ଉପସ୍ଥିତ ଥିବା ଜଣାପଡ଼ିଛି। ଏନସିପିର ଏହି କ୍ଷମତା ସଂଘର୍ଷ ମଧ୍ୟରେ ଅଜିତ ପାୱାରଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖାଯାଇଛି। ଅଜିତ ପାୱାର କହିଛନ୍ତି, ଶରଦ ପାୱାରଙ୍କ ଗୋଷ୍ଠୀର କିଛି ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଶରଦ ପାୱାର ଆସନ୍ତାକାଲି ଦିଲ୍ଲୀରେ ଦଳର ଜାତୀୟ କାର୍ୟ୍ୟକାରିଣୀ ବୈଠକ ଡାକିଛନ୍ତି। ଆଗକୁ ସ୍ଥିତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।