ରାଇରଙ୍ଗପୁର/ସତ୍ୟନାରାୟଣ ପାଲ : ସାନ୍ତାଳୀ ଜନ ଜାତିଙ୍କ ପ୍ରମୁଖ ପର୍ବ ମଧ୍ୟରେ “ପାତା ପରବ” । ଏହି ପର୍ବକୁ ମୟୁରଭଞ୍ଜ ଜିଲ୍ଲାର କୋଣ ଅନୁକଣରେ ଥିବା ଆଦିବାସୀ ପୁର ପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରା ଯାଇଥାଏ। ଏହି “ପାତାପରବ” କୁ ନିଆରା ଢଙ୍ଗ ରେ ପାଳନ କରି ଥାଆନ୍ତି ବୋବେଇଜୋଡାର ଗ୍ରାମବାସୀ।ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଭାତଛତ୍ର ପଞ୍ଚାୟତ ରେ ରହିଛି ଵୋବେଇଯୋଡ଼ା ଗାଁ।ଲୋକ ସଂଖ୍ୟା ପାଞ୍ଚ ଶହରୁ ଉର୍ଦ୍ଧ୍ବ।ଚାଷବାସ କରି ଜୀବିକା ନିର୍ବାହ କରୁଥିବା ଏହି ଗ୍ରାମର ଲୋକେ କିନ୍ତୁ ବହୁତ ସଚେତନ। ଗ୍ରାମକୁ ପରିଷ୍କାର ପରିଛନ୍ନ ରଖିବା, ଅଳିଆ ସବୁ ଡ଼ଷ୍ଟବିନରେ ପକାଇବା ସହିତ ସମସ୍ତ ଗ୍ରାମ ବାସୀ ଶୌଚାଳୟ ବ୍ୟବହାର କରି ସ୍ଵଛ ଭାରତ ଅଭିଯାନର ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି।
ଏବେ ଜାଣିବା ପାତା ପରବ ବିଷୟରେ।ବୋବେଇଯୋଡ଼ା ଗ୍ରାମ ରେ ପାଳନ କରାଯାଏ ପାତାପରବ।ଆଦିବାସୀ ଝିଅ ଓ ବୋହୁଙ୍କ ହାତର ଯାଦୁ ଓ କଳାର କାରିଗରୀ ସ୍ପର୍ଶରେ ମାଟିଘର କାଂଥରେ ଫୁଟି ଉଠିଥାଏ କଳା ର ପ୍ରଦର୍ଶନ।ମାଟି କାଂଥ ରେ ନାନା ରଙ୍ଗର ସୁନ୍ଦର ଚିତ୍ରକଳା ର କାରୁକାର୍ଯ୍ୟ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ମୁସ୍କିଲ।ଆଦିବାସୀଙ୍କ ସ୍ବତ୍ରନ୍ତତା ବହନ କରୁଥିବା ମାଟି ଘରର କାଁଥ ରେ ଚିତ୍ରିତ ଉଚ୍ଚ କୋଟିର ହାତ ତିଆରି ଚିତ୍ରକଳା କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ବୋବେଇଯୋଡ଼ା ଗାଁ।
ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ମାଟିକାଁଥ ରେ ବ୍ୟବହୃତ ହୋଉଥିବା ବିଭିନ୍ନ ରଙ୍ଗ ରେ କୌଣସି ରାସାୟନିକ ଦ୍ରବ୍ୟ ମିଶ୍ରଣ କରା ଯାଏନାହିଁ।ପାରମ୍ପରିକ ପଦ୍ଧତିରେ ବିଭିନ୍ନ ସ୍ଥାନରୁ ସଂଗୃହିତ ମାଟି,ଅଠା,ପେଜ,ଜଙ୍ଗଲରୁ ସଂଗୃହିତ ପ୍ରାକୃତିକ ରଙ୍ଗ ବ୍ୟବହାର କରିଥାନ୍ତି।କଳା ରଙ୍ଗ ପାଇଁ ନଡ଼ିଆ କତା ଓ ତାର ଖୋଳପା, ସବୁଜ ରଙ୍ଗ ପାଇଁ ବିଭିନ୍ନ ପତ୍ର, ହଳଦିଆ, ନାଲି, ଧଳା ମାଟି ଆଦି ଦୂର ଦୁରନ୍ତ ଜାଗାରୁ ସଂଗ୍ରହ କରି ରଙ୍ଗ ପ୍ରସ୍ତୁତ କରି ଥାଆନ୍ତି।ଏହି ଅବସରରେ ଗ୍ରାମ ବାସୀଙ୍କ ଆତ୍ମୀୟ ସ୍ଵଜନ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ସାମିଲ ହୋଇ ଗ୍ରାମବାସୀଙ୍କୁ ଉତ୍ସାହିତ କରି ଥାଆନ୍ତି। ଗ୍ରାମର ଏହି ଆକର୍ଷଣୀୟ ଚିତ୍ରକଳା, ସ୍ଵଛତା ଦେଖିବାକୁ ଛୁଟି ଆସି ଥାଆନ୍ତି ହଜାର ହଜାର ସଂଖ୍ୟାରେରେ ଲୋକେ।ପାରମ୍ପରିକ ଜାହିରା ପୂଜାର୍ଚ୍ଚନା ସହିତ ଘରେ ଘରେ ଭୋଜଭାତର ଆୟୋଜନ କରିଥାନ୍ତି। ଅପରାହ୍ନରେ ଗାଁ ମୁଣ୍ଡରେ ଥିବା ଖୋଲା ପଡ଼ିଆରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନାଚଗୀତ ରେ ହଜି ଯାଇଥାନ୍ତି ଗ୍ରାମବାସୀ।ଏହି ପର୍ବ ରେ ଓଡିଶାର ବିଭିନ୍ନ ଜିଲ୍ଲା ସହିତ ଝାରଖଣ୍ଡ, ବେଙ୍ଗଲ, ଛତିଶଗଡ଼ ଆଦି ରାଜ୍ୟରୁ ଅନେକ ଅତିଥିମାନଙ୍କ ସମାଗମ ହୋଇଥାଏ।