ମୁମ୍ବାଇ: ଗତ କିଛି ଦିନ ଧରି ହେରା ଫେରୀ ୩କୁ ନେଇ ଲାଗି ରହିଥିବା ବିବାଦରେ ଏବେ ପୁର୍ଣ୍ଣଛେଦ ପଡିଛି । ପ୍ରଶଂସକଙ୍କ ଇଚ୍ଛାକୁ ଗୁରୁତ୍ଵ ଦେଇ ପୁଣି ଫିଲ୍ମକୁ ଫେରିଛନ୍ତି ବାବୁ ରାଓ ତଥା ପରେଶ ରାୱଲ । ଏହି ଖବର ଶୁଣି ପ୍ରଶଂସକଙ୍କ ମଧ୍ୟରେ ଖୁସି ଖେଳିଯାଇଛି । ତେବେ ଫିଲ୍ମକୁ ଫେରିବା କଥା ନିଜେ କହିଛନ୍ତି ପରେଶ । ଏପରିକି ସମସ୍ତେ ଏକାଠି ହୋଇ ପରିଶ୍ରମ କରନ୍ତୁ ବୋଲି ସେ ଚାହୁଁଥିବା ମଧ୍ୟ କହିଛନ୍ତି ।
ତେବେ କହିରଖୁଛୁ ଯେ, ହିମାଂଶୁ ମେହତାଙ୍କ ପଡ୍କାଷ୍ଟ୍ରେ ‘ହେରା ଫେରି–୩’ ସହ ସଂଶ୍ଳିଷ୍ଟ ବିବାଦ ଉପରେ ପରେଶଙ୍କୁ ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ସେ ଉତ୍ତର ରଖିଥିଲେ ଯେ, ବିବାଦ କିଛି ନାହିଁ । ଦର୍ଶକଙ୍କ ପ୍ରତି ଆମର କିଛି ଦାୟିତ୍ୱ ଅଛି । ଦର୍ଶକ ଆମକୁ ଖୁବ୍ ପ୍ରଶଂସା କରିଛନ୍ତି । ତେଣୁ ଆମେ ଏହାକୁ ହାଲୁକାରେ ନେଇପାରିବା ନାହିଁ । ପରିଶ୍ରମ କରିବା । ସମସ୍ତେ ଏକାଠି ହୋଇ ପରିଶ୍ରମ କରିବାକୁ ମୁଁ ଚାହୁଁଥିଲି । ଆଉ କିଛି ନୁହେଁ ବୋଲି କହିଛନ୍ତି ବାବୁ ରାଓ ।
ସୂଚନାଯୋଗ୍ୟ, ଯେତେବେଳେ ବି ବଲିଉଡର ଫେମସ୍ କମେଡି ଫିଲ୍ମ କଥା ଆସେ, ଲୋକଙ୍କ ମନରେ ପ୍ରଥମେ କେବଳ ଗୋଟିଏ ନାମ ଆସେ ଏବଂ ତାହା ହେଉଛି ‘ହେରା ଫେରି’ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଦୁଇଟି ପାର୍ଟ ରିଲିଜ୍ ହୋଇଛି ଏବଂ ଉଭୟ ବହୁତ ସଫଳ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ପରେଶ ରାୱଲ ଏବଂ ସୁନୀଲ ଶେଟ୍ଟୀ– ବାବୁ ରାଓ, ରାଜୁ ଏବଂ ଘନଶ୍ୟାମ ଭୂମିକାରେ ଅଭିନୟ କରିଥିଲେ । ନିକଟରେ ପରେଶ ରାୱଲ ’ହେରା ଫେରୀ ୩’ଫିଲ୍ମରୁ ବାହାରିଥିବା କଥାକୁ ଚର୍ଚ୍ଚା ଉଠିଥିଲା । ପରେ ତାଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସମ୍ମତି ମଧ୍ୟ ଦେଇଥିଲେ । ଫିଲ୍ମରେ ବିବାଦ ପରେ ପରେଶ ଫିଲ୍ମ ଛାଡ଼ିବା କଥା ପ୍ରଡକ୍ସନ୍ ହାଉସ୍ ବଦଳରେ ଗଣମାଧ୍ୟମକୁ କଜଣାଇଥିଲେ । ଯାହାକୁ ନେଇ ପ୍ରଯୋଜନା ଦାୟିତ୍ୱରେ ଥିବା ଅକ୍ଷୟ କୁମାର ମର୍ମାହତ ହୋଇଥିଲେ ।