ମା’ ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଗଠନ ପକ୍ଷରୁ ଧାରଣା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – କମ୍ପାନୀ ମାନଙ୍କର ମେରୀ ରାୟ ନୀତି ଏବେ ସ୍ଥାନୀୟ ଯୁବକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପାରାଦ୍ବୀପରେ ଥିବା ବିଭିନ୍ନ କମ୍ପାନୀର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି କାର୍ୟ୍ୟରେ ନିୟୋଜିତ କରୁଛନ୍ତି। ଫଳରେ କମ୍ପାନୀ ପାଇଁ ଜମି ହରାଇଥିବା ପରିବାରର ଯୁବକ ଏଠାରେ ବେକାର ହୋଇ ବୁଲୁଛନ୍ତି। ଏଭଳି ଏକ ଘଟଣାକୁ ନେଇ ପାରାଦ୍ବୀପ ଆଇଓସିଏଲର ଏକ ଠିକା ସଂସ୍ଥା ଗାଲାକୋନ ବାହାର ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରିବାକୁ ନେଇ ଦେଖା ଦେଇଛି ବିବାଦ। ଏହି କମ୍ପାନୀ ଆଇଓସିଏଲର ୧୦ ଟି ବିଲଡିଂ ଓ ଦୁଇଟି ହଷ୍ଟେଲ ସହିତ ଅନ୍ୟ କନଷ୍ଟ୍ରସନ କାର୍ୟ୍ୟର କାମ ପାଇଛି। ମାତ୍ର ଏହି କମ୍ପାନୀ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଉନାହିଁ। ଏ ସମ୍ପର୍କରେ ଆଇଓସିଏଲର ବହୁ ପୁରାତନ ଶ୍ରମିକ ସଙ୍ଗଠନ ମା ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଘ ବାରମ୍ବାର କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ବାହାର ରାଜ୍ୟରୁ ବହୁ ଯୁବ ଓଡିଆ ପ୍ରବାସୀ ଗାଁ ରେ ଅଛନ୍ତି, ତେଣୁ ସେମାନଙ୍କୁ ନିଯୁକ୍ତି ଦେବାକୁ କର୍ତୃପକ୍ଷଙ୍କୁ କୁହାଯାଇଥିଲା। ମାତ୍ର ଠିକା କମ୍ପାନୀ ଏହାକୁ ଖାତିର ନ କରି ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ମା ବୈଦେହି ଅଏଲ ରିଫାଇନାରୀ ଶ୍ରମିକ ସଙ୍ଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଯେ ପର୍ୟ୍ୟନ୍ତ ସ୍ଥାନୀୟ ପ୍ରବାସୀ ଓ ଯୁବକଙ୍କୁ ନିଯୁକ୍ତି ଦିଆ ନ ଯାଇଛି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି।